ନ୍ୟୁଜିଲାଣ୍ଡରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯
ୱେଲିଂଟନ: ନ୍ୟୁଜିଲାଣ୍ଡରେ ଆଜି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଶନିବାର ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିବା ଜଣାଯାଇଛି ।
ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍) ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୨ କିଲୋମିଟର (୯୪ ମାଇଲ) ଗଭୀରତାରେ ଥିଲା। ତେବେ ଭୂକମ୍ପ ପରେ ସୁନାମୀ ଭୟ ନ ଥିବା ଜଣାପଡ଼ିଛି । ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ । ନିକଟରେ ପଶ୍ଚିମ ଏସୀୟ ଦେଶ ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ କ୍ଷତ ଏବେ ଲୋକଙ୍କ ମନରୁ ଯାଇନି । ତା ପରଠାରୁ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ଯାହା ଲୋକଙ୍କ ମନରେ ଅହେତୁକ ଭୟ ସୃଷ୍ଟି କରିଛି । ତେବେ ଆଜି ନିଉଜଲାଣ୍ଡରେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିନାହିଁ ।