ପୁଣି ଥରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ପୁଣି ଥରେ ବିଶ୍ୱର ଧନୀ ବ୍ୟକ୍ତି ପାଲଟିଛନ୍ତି ଟେସ୍‌ଲାର ସିଇଓ ତଥା ଟ୍ୱିଟର୍‌ର ମାଲିକ ଏଲନ୍‌ ମସ୍କ। ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ ବସିଥିଲେ। ଟେସ୍‌ଲାର ସେୟାର ହ୍ରାସ ପାଇଥିବାରୁ ମସ୍କଙ୍କ ସଂପତ୍ତି ବି ହ୍ରାସ ପାଇଥିଲା। ଫଳରେ ସେ ଆଉ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ହୋଇ ରହି ପାରିନଥିଲେ। ତାଙ୍କ ସ୍ଥାନ ଅଧିକାର କରିଥିଲେ ଲୁଇସ୍‌ ଭୁଇଟନ୍‌ର ସିଇଓ ବର୍ଣ୍ଣାଡ ଆର୍‌ନଲ୍‌ଟ। ଯାହାବି ହେଉ, ପ୍ରାୟ ୨ ବର୍ଷ ପରେ ମସ୍କ ପୁଣି ଥରେ ତାଙ୍କ ସ୍ଥିତି ଦୃଢ଼ କରିଛନ୍ତି। ଆଉ ଥରେ ବିଶ୍ୱର ପ୍ରଥମ ଧନୀ ଆସନ ଅଧିକାର କରି ନିଜକୁ ପ୍ରମାଣିତ କରିଛନ୍ତି।

ଏଲନ ମସ୍କଙ୍କ ସଂପତ୍ତିର ମୂଲ୍ୟ ଏବେ ୧୮୭ ବିଲିୟନ ଡଲାର୍। ବର୍ଷ ଆରମ୍ଭରେ, ଟ୍ୱିଟର ମାଲିକଙ୍କ ସମ୍ପତ୍ତି ମୂଲ୍ୟ ୧୩୭ ବିଲିୟନ ଡଲାର ଥିଲା। ସେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ତାଙ୍କ ପୂର୍ବରୁ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏହି ସ୍ଥାନରେ ରହିଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ପ୍ରାରମ୍ଭରେ ମସ୍କ ଏକ ରେକର୍ଡ କରିଥିଲେ। ସେ ଇତିହାସରେ ସର୍ବାଧିକ ଟଙ୍କା ହରାଇ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଥିଲା ଯେ ପୂର୍ବରୁ ୨୦୦୦ ମସିହାରେ ୫୬ ବିଲିୟନ ଡଲାର ହରାଇ ଏହି ରେକର୍ଡ କରିଥିଲେ ଜାପାନର ଟେକ୍‌ ଇନ୍‌ଭେ‌ଷ୍ଟର୍‌ ମାୟାୟୋଶୀ ସନ୍‌।

Related Articles

Back to top button