ପୂର୍ବତନ ଆପଲ୍ କର୍ମଚାରୀ କମ୍ପାନୀକୁ ଠକିଛନ୍ତି ୨୦ ମିଲିୟନ୍ ଡଲାର
ନୂଆଦିଲ୍ଲୀ : ଭାରତର ଜଣେ ପୂର୍ବତନ କର୍ମଚାରୀ ଆପଲକୁ ଠକିବାର ଏକ ମାମଲା ଆସିଛି ସାମ୍ନାକୁ। କର୍ମଚାରୀ ଜଣକ କାଲିଫର୍ନିଆ ସ୍ଥିତ ଆପଲ୍ କମ୍ପାନୀକୁ ୨୦ ମିଲିୟନ୍ ଡଲାରରୁ ଅଧିକ (ପ୍ରାୟ ୧୪୦ କୋଟି ଟଙ୍କା) ଠକେଇ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଅଭିଯୋଗ ଆସିଛି ଧୀରନ୍ଦ୍ର ପ୍ରସାଦଙ୍କ ବିରୋଧରେ। ଧିରେନ୍ଦ୍ର ପ୍ରସାଦ ଆପଲ ସହିତ ପ୍ରାୟ ୧୦ ବର୍ଷ କାମ କରିଥିଲେ। ବର୍ତ୍ତମାନ ତାଙ୍କ କମ୍ପାନୀକୁ ଠକିବା ପାଇଁ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।
ପ୍ରସାଦ ବିଭିନ୍ନ କୌଶଳ ବ୍ୟବହାର କରିଥିଲେ। ଯେପରିକି ଲାଞ୍ଚ ନେବା, ଇନଭଏସ୍ ଟ୍ୟାମ୍ପରିଂ କରିବା, ଅଂଶ ଚୋରି କରିବା ଏବଂ ଆପଲ ପାଇ ନଥିବା ଜିନିଷ ପାଇଁ ଦେୟ ଦେବା। କମ୍ପାନୀ ପ୍ରତି ବିଶ୍ୱାସ ଘାତକତା କରିଥିବା ଭଳି ସଙ୍ଗୀନ୍ ଅଭିଯୋଗ ତାଙ୍କ ନାଁରେ। ପ୍ରସାଦଙ୍କ ସହ ଅନ୍ୟ ଦୁଇଜଣ ବ୍ୟକ୍ତି ଥିଲେ ଯେଉଁମାନେ ଆପଲକୁ ଠକିବାରେ ସାହାଯ୍ୟ କରୁଥିଲେ।
ଏକ ଲିଖିତ ନିବେଦନ ଚୁକ୍ତିରେ ୫୨ ବର୍ଷୀୟ ପ୍ରସାଦ ଖୁଲାସା କରିଛନ୍ତି ଯେ, ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଆପଲ୍ ସହିତ କାମ କରିଛନ୍ତି। ପ୍ରସାଦଙ୍କ ଅନୁଯାୟୀ, ସେ ସେହି ସମୟରେ ଆପଲର ବିଶ୍ୱ ସେବା ଯୋଗାଣ ଶୃଙ୍ଖଳରେ ଜଣେ କ୍ରେତା ଭାବରେ କାର୍ଯ୍ୟ କରିଥିଲେ। ପ୍ରସାଦଙ୍କ ଭୂମିକା ଆପଲରୁ ଅଂଶ ଏବଂ ସେବା କ୍ରୟ ସହିତ ଜଡିତ ଥିଲା। ସେ ପ୍ରକାଶ କରିଛନ୍ତି ଯେ, ସେ ୨୦୧୧ରେ ଲାଞ୍ଚ ନେବା, ଇନଭଏସ୍ ଟାମ୍ପରିଂ କରିବା ଏବଂ ଅଂଶ ଚୋରି କରିବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଆପଲ୍ ପାଇଁ ଜିନିଷ ଦେଉଥିଲେ ଯାହା କମ୍ପାନୀ କେବେ ପାଇ ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୨୦୧୮ ପର୍ଯ୍ୟନ୍ତ ଏହିପରି କମ୍ପାନୀକୁ ଠକିଛନ୍ତି। ସେହି ବର୍ଷ ଆପଲ୍ ପ୍ରାୟ ୧୭ ମିଲିୟନ୍ ଡଲାର୍ ହରାଇଲା।
ପରେ ଜଣାପଡିଥିଲା ଯେ ୧୭ ମିଲିୟନ ଡଲାର ଡକାୟତି ଘଟଣାରେ ଧିରେନ୍ଦ୍ର ଏକମାତ୍ର ବ୍ୟକ୍ତି ନୁହଁନ୍ତି। ତାଙ୍କର ଦୁଇ ସହ-ଷଡଯନ୍ତ୍ରକାରୀ ମଧ୍ୟ ଥିଲେ, ଯାହାର ନାମ ରୋବର୍ଟ ଗ୍ୟାରି ହାନସେନ୍ ଏବଂ ଡନ୍ ଏମ୍ ବେକର୍ । ପ୍ରସାଦ ଆହୁରି ପ୍ରକାଶ କରିଛନ୍ତି ଯେ ସେ ଆପଲର ଉଦ୍ଭାବନରୁ ଅନେକ ମଦରବୋର୍ଡକୁ ଡନ୍ ଏମ୍ ବେକରଙ୍କ କମ୍ପାନୀ ସିଟ୍ରେଣ୍ଡସ୍ ପଠାଇଥିଲେ। ସେ ନକଲି ବିଲ୍ ବି ଦେଇଥିଲେ। ସେଥିରୁ ମୁିଳିଥିବା ଟହ୍କା ପରସ୍ପରର ମଦ୍ୟରେ ବାଣି୍ଟି ଦେଇଥିଲେ।
କେବଳ ଏତିକି ନୁହେଁ, ପ୍ରସାଦ ଆପଲ ପ୍ୟାକେଜିଂରୁ ଅଂଶଗୁଡ଼ିକୁ କାଢ଼ି ନୂଆ ବାକ୍ସରେ ରଖି ପୁରୁଣା ବାକ୍ସକୁ ଆପଲ ଗୋଦାମକୁ ପଠାଇଲେ। ସେ ତାଙ୍କ ସହ-ଷଡଯନ୍ତ୍ରକାରୀ ହାନସେନଙ୍କ ସହ ଟ୍ୟାକ୍ସ ଠକେଇରେ ମଧ୍ୟ ଜଡିତ ଥିଲେ। ଓକିଲମାନେ ଏକ ବିବୃତ୍ତିରେ କହିଛନ୍ତି ଆପଲକୁ ପ୍ରାୟ ୧୭ ମିଲିୟନ ଡଲାରର କ୍ଷତି ସହିବାକୁ ପଡିଥିଲା ।
ଆମେରିକା ସରକାର, ପ୍ରସାଦଙ୍କ ଠାରୁ ୫ ମିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛି। ଏ ନେଇ ମାମଲା ଜାରି ରହିଛି । ଆସନ୍ତା ବର୍ଷ ମାର୍ଚ୍ଚ ୧୪ରେ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବେ କୋର୍ଟ । ଯଦି ପ୍ରସାଦ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ଯଦି ସେ ଦୋଷୀ ସାବ୍ୟସ୍ତ ନହୁଅନ୍ତି ତେବେ ମାମଲାରେ କୋର୍ଟଙ୍କ ପରବର୍ତ୍ତର ରାୟ ଉପରେ ନଜର ରହିବ ।