ମସ୍କୋରେ ବଡ଼ ବିସ୍ଫୋରଣ : ଆଣବିକ, ଜୈବିକ ଏବଂ ରାସାୟନିକ ସୁରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲଙ୍କ ମୃତ୍ୟୁ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ରାଜଧାନୀ ମସ୍କୋରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ରୁଷ୍ର ଆଣବିକ, ଜୈବିକ ଏବଂ ରାସାୟନିକ ସୁରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭଙ୍କ ମୃତ୍ୟୁ ଘଟିଛି। ଇଗୋର ରାଷ୍ଟ୍ରପତି ପୁତିନଙ୍କର ଅତି ନିକଟତର ଥିଲେ। ରାଷ୍ଟ୍ରପତି ଭବନରୁ ମାତ୍ର ୭ କିମି ଦୂରରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ୟୁକ୍ରେନର ସୁରକ୍ଷା ସେବା।ରୁଷ୍ର ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ଯୋଗୁଁଁ ଏହି ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣ କାରଣରୁ କିରିଲୋଭଙ୍କ ସହ ତାଙ୍କର ଜଣେ ସହାୟକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ଏକ ହତ୍ୟା ବୋଲି କହିଛି ତଦନ୍ତକାରୀ ସଂସ୍ଥା।