ପାକିସ୍ତାନରେ ବନ୍ୟା: ୩ କୋଟି ପ୍ରଭାବିତ, ୧୦୦୦ ମୃତ

ପାକିସ୍ତାନରେ ବନ୍ୟା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଵାତ ଏବଂ ସିନ୍ଧୁ ନଦୀରେ ବଡ ଧରଣର ବନ୍ୟା କାରଣରୁ ପ୍ରାୟ ଅଧା ଦେଶ ବୁଡି ଯାଇଛି। ଏହି ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସରକାର ବନ୍ୟାର ବିଭୀଷିକା ଦେଖି ଗୁରୁବାର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଇସଲାମାବାଦ ସ୍ଥିତ ରାଜଦୂତ, ଉଚ୍ଚାୟୋଗ ଏବଂ ଅନ୍ୟ  କୂଟନୈତିଜ୍ଞଙ୍କ ବୈଠକ କରି ଭୟାବହ ସ୍ଥିତିର ସମୀକ୍ଷା କରିଛନ୍ତି।

ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଖବରକାଗଜ ଅନୁଯାୟୀ, ବଲୁଚିସ୍ତାନ ଏବଂ ସିନ୍ଧ ପ୍ରାନ୍ତରେ ସ୍ଥିତି ଅଧିକ ଖରାପ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମୁତାବକ ପାକିସ୍ତାନରେ ଜୁନ ୧୪ ପରଠୁ ସିନ୍ଧ ପ୍ରାନ୍ତରେ ବନ୍ୟାଜନିତ ଅଧିକ ମୃତ୍ୟୁୁ ମାମଲା ସାମ୍ନାକୁ ଆସିଛି। ଦେଶର ପ୍ରାୟ ୭୦ ପ୍ରତିଶତ ଅଂଶ ବନ୍ୟାରେ ପ୍ରଭାବିତ ହୋଇଛି। କରାଚିଠୁ ନେଇ ପଞ୍ଜାବ,  ବଲୁଚିସ୍ତାନରେ ସ୍ଥିତି ଚିନ୍ତାଜନକ ରହିଛି। ପରିବେଶ ମନ୍ତ୍ରୀ ଶେରୀ ରେହମାନ କହିଛନ୍ତି ସାଧାରଣତଃ ପ୍ରତି ବର୍ଷ ହାରାହାରି ତିନି ଥର ମୌସୁମୀ ବର୍ଷା ହୋଇଥାଏ। ହେଲେ ଚଳିତ ବର୍ଷ ଆଠ ଥର ମୌସୁମୀ ବର୍ଷା ହୋଇଛି। ପୁଣି ଥରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଦେଶର ଅନେକ ଅଞ୍ଚଳରେ ବସ୍ ଏବଂ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନରେ ସେନାକୁ ନିୟୋଜିତ କରାଯାଇଛି। ଦେଶରେ ଜରୁରୀକାଳୀନ ଏବଂ ସୁରକ୍ଷା ବଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏକ ଦଶନ୍ଧି ପରେ ପାକିସ୍ତାନରେ ବନ୍ୟାର ଏମିତି କରାଳ ରୂପ  ଦେଖିବାକୁ ମିଳିଛି। ଦେଶରେ ସାତ ଲକ୍ଷ ଘର ସଂପୂର୍ଣ୍ଣ ଭାବେ କିମ୍ଵା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୭୫ ଲକ୍ଷ ବାସଶୂନ୍ୟ ହୋଇ ଯାଇଛନ୍ତି ବୋଲି ଗୃହ ମନ୍ତ୍ରୀ ସନା ଉଲ୍ଲା କହିଛନ୍ତି।

Related Articles

Back to top button