
ତରଳୁଛି ଥ୍ବେଟିସ୍ ଗ୍ଲେସିୟର, ଚିନ୍ତାରେ ପରିବେଶବିତ୍
ନୂଆଦିଲ୍ଲୀ: ତରଳୁଛି ହିମଶୈଳ। ଯଦି ଏପରି ତରଳିବା ଜାରି ରୁହେ ତେବେ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟିକାରୀ ଉତ୍ଥାନ ଘଟିବ । ଏମୀତିକିଛି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଦଳ ।
ଆଣ୍ଟାର୍କଟିକାରେ ଥିବା ଥ୍ବେଟିସ୍ ଗ୍ଲେସିୟର ବା ଡୁମ୍ସଡେ ଗ୍ଲେସିୟର ଏବେ ତରଳିବା ଆରମ୍ଭ କରିଛି । ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି ଏହି ହିମଶୈଳ କ୍ରମାଗତ ଭାବେ କ୍ଷୟ ପାଉଛି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶବିତ୍ । ଏହି ହିମାଖଣ୍ଡର ଆକାର ଭାରତର ଗୁଜରାଟ ରାଜ୍ୟର ଆକାର ପରି । ଏହି ହିମଶୈଳ ଯଦି ତରଳି କ୍ଷୟପାଇ ହୋଇଚାଲେ ତେବେ ବିଶ୍ବ ଏକ ବଡ ବିପଦକୁ ସାମ୍ନା କରିବ ।
ପୃଷ୍ଠଦେଶର ଅଧ କିଲୋମିଟର ତଳେ ସମୁଦ୍ରର ଉଷ୍ମଜଳ ଏହି ହିମଶୈଳକୁ ତରଳାଉଛି । ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁ ଏହା ତରଲୁଛି। ଫଳରେ ଉକ୍ତ ୧୨୦ କିଲୋମିଟର ଚଉଡ଼ା ହିମଶୈଳରେ ବର୍ଷକୁ ୪୩ ମିଟର ଦୀର୍ଘ ଉପତ୍ୟକା ସୃଷ୍ଟି ହେଉଛି ବୋଲି ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେର ଗବେଷକମାନେ କହିଛନ୍ତି।
ସେମାନଙ୍କ ଏହି ଗବେଷଣାର ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ହିମଶୈଳ ତରଳିବା ଯୋଗୁ ପ୍ରତିବର୍ଷ ନେଚର ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ ଶହଶହ କୋଟି ଟନ ବରଫ ଜଳ ହୋଇ ସମୁଦ୍ର ପାଣିରେ ମିଶୁଛି। ଫଳରେ ସମୁଦ୍ର ସ୍ତର ବର୍ଷକୁ ୪ ପ୍ରତିଶତ ଲେଖାଏ ବୃଦ୍ଧି ପାଉଛି। ଏଥିରେ କୁହାଯାଇଛି, ୧୯୯୦ ଦଶକ ଶେଷଭାଗରୁ ହିମଶୈଳଟି ୧୪ କିଲୋମିଟର ହ୍ରାସ ପାଇ ସାରିଲାଣି। ଏହା ସମୁଦ୍ରକୁ ଲାଗିଥିବାରୁ ଅଧିକ ପରିମାଣରେ ସମୁଦ୍ରର ଉଷ୍ମଜଳ ସଂସ୍ପର୍ଶରେ ଆସୁଛି।