
ରାଷ୍ଟ୍ରପତି ଟ୍ରମ୍ପ ଜି-୭ ଦେଶମାନଙ୍କୁ ଭାରତ ଏବଂ ଚୀନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ କରିଛନ୍ତି ଅପିଲ୍
ଜାରି ରହିଛି ଟ୍ରମ୍ପଙ୍କ ଟାରିଫ୍ ବିବାଦ । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁ ବୋଲି ଦାବି କରୁଥିବା ବେଳେ ଅନ୍ୟ ପଟେ ସେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଥିବା ଖବର ସାମ୍ନାକୁ ଆସିଛି । ଆମେରିକା ଭାରତ ଏବଂ ଚୀନ ଉପରେ ଆର୍ଥିକ ଚାପ ବୃଦ୍ଧି କରି ରୁଷ ଉପରେ ଚାପ ବୃଦ୍ଧି କରିବାକୁ ନୂଆ ଯୋଜନା କରୁଥିବା ଜଣାପଡିଛି । ୟୁରୋପୀୟ ସଂଘ ପରେ, ରାଷ୍ଟ୍ରପତି ଟ୍ରମ୍ପ ଜି-୭ ଦେଶମାନଙ୍କୁ ଭାରତ ଏବଂ ଚୀନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଅପିଲ୍ କରିଛନ୍ତି।
ଟ୍ରମ୍ପ ଚାହୁଁଛନ୍ତି ଯେ, ଜି-୭ ଦେଶଗୁଡିକ ରୁଷରୁ ତୈଳ କ୍ରୟ ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରି ଭାରତ ଏବଂ ଚୀନ ଉପରେ ଆର୍ଥିକ ଚାପ ସୃଷ୍ଟି କରନ୍ତୁ। ଏଥିପାଇଁ ସେ ଜି-୭ ଦେଶର ଅର୍ଥମନ୍ତ୍ରୀମାନଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ଏକ ବୈଠକ ମଧ୍ୟ କରିବେ। ଜି-୭ ରାଷ୍ଟ୍ରପତି କାନାଡା, ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବା ପାଇଁ ଅପିଲ୍ ଏବଂ ବୈଠକକୁ ନିଶ୍ଚିତ କରିଛନ୍ତି। କାନାଡା ଏହା ମଧ୍ୟ କହିଛି ଯେ, ଏହା ରୁଷର ଯୁଦ୍ଧ କରିବାର କ୍ଷମତା ଉପରେ ଚାପ ବୃଦ୍ଧି କରିବ। ଏଥିପାଇଁ ନିଆଯିବା ପଦକ୍ଷେପ ବୈଠକରେ ଆଲୋଚନା କରାଯିବ।ଆମେରିକା ରାଷ୍ଟ୍ରପତି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ରୁଷ ଉପରେ ଆର୍ଥିକ ଚାପ ପ୍ରୟୋଗ କରୁଛନ୍ତି । ରୁଷରୁ ତେଲ କିଣୁଥିବା ଦେଶ ମାନଙ୍କ ଉପରେ ଶୁଳ୍କ ଲଗାଇ ଆର୍ଥିକ ଚାପ ବୃଦ୍ଧି କରୁଛନ୍ତି । ଫଳରେ ରୁଷ ଚାପରେ ରହିବା ସହ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଲଢିବା ପାଇଁ ଟଙ୍କାର ଅଭାବ ହେବ । ଏଥିପାଇଁ ଟ୍ରମ୍ପ ଭାରତ ଉପରେ ଜରିମାନା ଶୁଳ୍କ ଲାଗୁ କରିଛନ୍ତି।
ଫଳରେ ଭାରତ-ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏବେ ଟ୍ରମ୍ପ ଅନ୍ୟ ଦେଶମାନଙ୍କଠାରୁ ଭାରତ ଉପରେ ଶୁଳ୍କ ଲାଗୁ କରିବାକୁ ଚାହୁଁଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ୟୁରୋପୀୟ ସଂଘକୁ ଚୀନ୍ ଏବଂ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅପିଲ୍ କରିଛନ୍ତି । ମାତ୍ର ୟୁରୋପୀୟ ସଂଘ (ଇୟୁ) ଟ୍ରମ୍ପଙ୍କ ପ୍ରସ୍ତାବ ସହିତ ଏକମତ ହୋଇ ନାହାଁନ୍ତି, କାରଣ ଭାରତ ଏବଂ ଚୀନ ଉପରେ ଶୁଳ୍କ ଲାଗୁ ପରେ ଆର୍ଥିକ ବିପଦ ଏବଂ ପ୍ରତିଶୋଧର ଭୟ କରୁଛି । ତେଣୁ ଉଭୟ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଅଧିକ ଶୁଳ୍କ ଲାଗୁ କରିବା ପରିବର୍ତ୍ତେ, ୨୦୨୭ ସୁଦ୍ଧା ରୁଷ ଉପରେ ନିର୍ଭରଶୀଳତା ସମାପ୍ତ କରିବା ପାଇଁ କଠୋର ପ୍ରତିବନ୍ଧକ ଲଗାଇବା ସପକ୍ଷରେ ରହିଛି।