ରୁଷ ବିରୋଧୀ ମିଳିତ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବକୁ ଏଡାଇଲା ଭାରତ
ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ(ୟୁଏନଜିଏ) ଦ୍ୱାରା ଆଗତ ରୁଷ ବିରୋଧୀ ପ୍ରସ୍ତାବରେ ସ୍ୱାକ୍ଷର କଲାନି ଭାରତ । ୟୁକ୍ରେନରେ ଆନ୍ତର୍ଜାତୀକ ଆଇନ ଉଲ୍ଲଂଘନ ଓ ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷତିକୁ ଆଧାର କରି ଏହି ପ୍ରସ୍ତାବ ୟୁଏନଜିଏ ଆଗତ କରିଥିଲା । ଏହି ପ୍ରସ୍ତାବକୁ ୯୪ଟି ଦେଶ ସମର୍ଥନ କରିଥିବାବେଳେ ଭାରତ ସମେତ ୭୩ଟି ଦେଶ ଭୋଟ୍ ଦେଇନାହାଁନ୍ତି ।
ପୂର୍ବରୁ ମଧ୍ୟ ୟୁଏନ୍ ସିକ୍ୟୁରିଟି କାଉନସିଲ୍, ଜେନେରାଲ ଆସେମ୍ୱ୍ଲି ଓ ହ୍ୟୁମାନ ରାଇଟ୍ସ କାଉନସିଲ୍ ପକ୍ଷରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ନାନା ପ୍ରସ୍ତାବରେ ଭାରତ ଭୋଟ୍ ଦେଇନି । ତେବେ ଯେଉଁ ଦେଶ ଗୁଡିକ ଏହି ପ୍ରସ୍ତାବଠୁ ଦୂରେଇଛନ୍ତି, ସେମାନେ ହେଉଛନ୍ତି ଭାରତ, ବାଂଲାଦେଶ, ଭୂଟାନ, ବ୍ରାଜିଲ, ଇଜିପ୍ଟ, ଇଣ୍ଡୋନେସିଆ, ଇସ୍ରାଏଲ, ନେପାଳ, ପାକିସ୍ତାନ, ସାଉଥ ଆଫ୍ରିକା ଓ ଶ୍ରୀଲଙ୍କା ।
ସେହିପରି ପ୍ରସ୍ତାବ ବିରୋଧରେ ୧୪ଟି ଦେଶ ଭୋଟ୍ ଦେଇଛନ୍ତି । ସେଗୁଡିକ ହେଲେ ଚୀନ, ବେଲାରୁସ, ଉତ୍ତର କୋରିଆ, ଇରାନ, ରୁଷିଆ ଓ ସିରିଆ । ୟୁକ୍ରେନରେ ଯୁଦ୍ଧ ଜାରି ରଖି ରୁଷିଆ ଆନ୍ତର୍ଜାତିକ ଆଇନ ଓ ଆନ୍ତର୍ଜାତିକ ମାନବିକ ଅଧିକାର କ୍ଷୁର୍ଣ୍ଣ କରିଥିବା ୟୁଏନଜିଏର ଏହି ପ୍ରସ୍ତାବରେ ଉଲ୍ଲେଖ ହୋଇଛି ।