ରାଜ୍ୟରେ ଗଠନ ହେବ ୧୨୦୦ ନୂଆ ପ୍ୟାକ୍ସ, ସମସ୍ତ ମାଇକ୍ରୋ ଏଟିଏମ୍ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଚାଷ କାର୍ଯ୍ୟ ପାଇଁ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । କୃଷକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧାରେ ଯୋଗାଇ ଦେଉଛନ୍ତି । ଏହି ସୁଧହୀନ ଋଣ ସୁବିଧା କୃଷିର ବିକାଶରେ ସହାୟକ ହେବ । ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳାର ଉଦଘାଟନୀ ଉତ୍ସବରେ ଏହି ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଉନ୍ନୟନ ଓ କୃଷି ଉତ୍ପାଦନ କମିଶନର ପ୍ରଦୀପ ଜେନା । ସେ କହିଥିଲେ, କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ଯୋଗାଉଛନ୍ତି । ରାଜ୍ୟକୁ କୃଷି କ୍ଷେତ୍ରରେ ଆଗକୁ ନେବା କ୍ଷେତ୍ରରେ ବ୍ୟାଙ୍କମାନେ ଯତ୍ନବାନ ହେବା ଜରୁରୀ । ସେହିପରି ସମବାୟ ବିଭାଗର ପ୍ରମୁଖ ସଚିବ କହିଥିଲେ, ଚାଷୀମାନେ ସାହୁକାରଙ୍କଠାରୁ ଋଣ ନନେଇ ସମବାୟ ଋଣ ନେଟୱାର୍କକୁ ଆସିବାକୁ ପଡ଼ିବ । ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମକୁ କାର୍ଯ୍ୟକ୍ଷମ କରାଯିବ । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ଅଧିକ ପ୍ରଭାବୀ ଓ ବିକଶିତ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ କରାଯିବା ସହିତ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ରାଜ୍ୟର ୨୦୬୩ଟି ପ୍ୟାକ୍ସକୁ ସାମିଲ କରାଯାଇଥିଲା । ପ୍ୟାକ୍ସ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଥିଲା । ଏଥିସହିତ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଅନଲାଇନରେ ପ୍ୟାକ୍ସର ଡିଜିଟାଲାଇଜେସନ ସିଷ୍ଟମର ଶୁଭାରମ୍ଭ କରିଥିଲେ । ୫ଟି ଉପକ୍ରମ ଆଦର୍ଶକୁ ଅନୁସରଣ କରି ସମବାୟ କ୍ଷେତ୍ରର ବିକାଶ କରିବାକୁ ନବ ନିଯୁକ୍ତି ବ୍ୟାଙ୍କ ସହାୟକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Related Articles

Back to top button