ଆଗାମୀ ଦିନରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ହେଉଛି ପ୍ରସ୍ତୁତ
ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବାର ନାଁ ନେଉନାହିଁ। ପ୍ରଥମେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ, ତା’ପରେ ଇରାନ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ, ଏବେ ଇସ୍ରାଏଲ ଗୁଇନ୍ଦା ବିଭାଗ ଦର୍ଶାଉଛି ଯେ ଆଗାମୀ ଦିନରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରାଏଲର ଦୁଇଟି ଅଜଣା ସୂତ୍ରକୁ ଉଦାହରଣ ଦେଇ ଆକ୍ସିଓସ୍ ଗୁରୁବାର ଏହି ସୂଚନା ଦେଇଛି। ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଆକ୍ରମଣ ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଇରାକର ଏକ ଅଞ୍ଚଳରୁ ବହୁ ସଂଖ୍ୟକ ଡ୍ରୋନ୍ ଓ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ଏହି ଆକ୍ରମଣ କରାଯିବ ବୋଲି ଆକ୍ସିଓସ୍ ରିପୋର୍ଟ କରିଛି। ଇରାକରେ ଇରାନ ସମର୍ଥକ ମିଲିସିଆଙ୍କ ଜରିଆରେ ଏହି ଆକ୍ରମଣ ଇରାନରେ ଥିବା ରଣନୈତିକ ଟାର୍ଗେଟ ଉପରେ ଇସ୍ରାଏଲର ଆଉ ଏକ ଆକ୍ରମଣକୁ ଏଡାଇବା ପାଇଁ ତେହେରାନର ପ୍ରୟାସ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।ସୂଚନାଯୋଗ୍ୟ, କିଛି ଦିନ ତଳେ ଇସ୍ରାଏଲ ଲଢୁଆ ବିମାନରେ ଇରାନ ଉପରେ ଆକ୍ରମଣ କରିଥିଲା। ଏନବିସି ନ୍ୟୁଜ୍ ଏବଂ ଏବିସି ନ୍ୟୁଜ୍ ଇସ୍ରାଏଲର ଜଣେ ଅଧିକାରୀଙ୍କ ବୟାନ ଦେଇ କହିଛି ଯେ ଶକ୍ତି ଭିତ୍ତିଭୂମି ଏବଂ ପରମାଣୁ କାରଖାନାଗୁଡ଼ିକୁ ଟାର୍ଗେଟ କରାଯାଇ ନାହିଁ। ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ସାନାର ରିପୋର୍ଟ ଅନୁଯାୟୀ, ଶନିବାର ସକାଳେ ଇସ୍ରାଏଲ ସିରିଆର କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ଥିବା କେତେକ ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।
ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଉତ୍ତର ଇସ୍ରାଏଲ ଉପରେ ହିଜବୁଲ୍ଲାଙ୍କ ରକେଟ୍ ଆକ୍ରମଣରେ ମେଟୁଲା ଏବଂ ହାଇଫା ନିକଟରେ ଚାଷ ଜମିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ସୀମାନ୍ତ ସହର ମେଟୁଲା ନିକଟରେ ଏହି ଆକ୍ରମଣ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି, ହିଜବୁଲ୍ଲା ଲେବାନନରୁ ଏକ ରକେଟ୍ ନିକ୍ଷେପ କରି ଏକ ସେଓ ବଗିଚାକୁ ଧକ୍କା ଦେଇଥିଲା, ଯେଉଁଥିରେ ୫ ଜଣ ପ୍ରାଣ ହରାଇଥିଲେ।ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ଏହାର କିଛି ଘଣ୍ଟା ପରେ ହାଇଫା ଉପନଗର କିରିୟତ ଆଟା ବାହାରେ ଥିବା ଏକ ଅଲିଭ୍ ବଗିଚାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ହିଜବୁଲ୍ଲା ଏହି ଅଞ୍ଚଳ ଉପରକୁ ଡଜନାଧିକ ରକେଟ୍ ମାଡ଼ କରିଥିଲା। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ମଧ୍ୟ ଏକ ବିବୃତ୍ତିରେ ହିଜବୁଲ୍ଲାଙ୍କ ଆକ୍ରମଣକୁ ନିଶ୍ଚିତ କରିଛି।