
ହମାସ ଆତଙ୍କବାଦୀ ସଂଗଠନର ସାମରିକ ଗୁଇନ୍ଦା ମୁଖ୍ୟ ଓସାମା ତବାଶଙ୍କୁ ହତ୍ୟା କରିଛି ଇସ୍ରାଏଲ
ହମାସ ଆତଙ୍କବାଦୀ ସଂଗଠନର ସାମରିକ ଗୁଇନ୍ଦା ମୁଖ୍ୟ ଓସାମା ତବାଶଙ୍କୁ ହତ୍ୟା କରିଛି ଇସ୍ରାଏଲ। ଗତ ଗୁରୁବାର ଦିନ ଗାଜା ପଟିରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ତବାଶ ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି। ତବାଶ ହମାସର ଯୁଦ୍ଧ ରଣକୌଶଳ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ତା ସହିତ ହମାସର ଗୁଇନ୍ଦା ବିଭାଗରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଉଥିଲେ। ଗାଜାର ଦକ୍ଷିଣାଞ୍ଚଳରେ ଆଇଡିଏଫର କାର୍ଯ୍ୟକଳାପ ସମ୍ପର୍କରେ ସେ ତଥ୍ୟ ହାସଲ କରିବା ସହିତ ତାହାକୁ ମୁକାବିଲା କରିବା ଲାଗି ରଣକୌଶଳ ପ୍ରସ୍ତୁତ କରୁଥିଲେ। ହମାସ ଆତଙ୍କୀ ସଂଗଠନରେ ତବାଶ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ସାମିଲ ଥିଲେ। ହମାସର ଖାନ ୟୁନିସ ବ୍ରିଗେଡର ବାଟାଲିଅନ କମାଣ୍ଡର ଭାବେ ମଧ୍ୟ ସେ କାର୍ଯ୍ୟ କରୁଥିଲେ।କିଛିବର୍ଷ ହେବ ସେ ଆତଙ୍କବାଦୀ କାର୍ଯ୍ୟକଳାପକୁ ତଦାରଖ କରୁଥିଲେ। କେଉଁଠି ଆତ୍ମଘାତୀ ବିସ୍ଫୋରଣ କରାଯିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଥିଲେ। ୨୦୦୫ରେ ଗାଜାପଟିରେ ଗୁଶ କାତିଫ ଅଞ୍ଚଳରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ତବାଶଙ୍କ ନିର୍ଦେଶରେ କରାଯାଇଥିଲା।