
ବୁଲଗାରିଆ ରାଜକୁମାରୀଙ୍କ ସହ ଦ୍ୱିତୀୟ ବିବାହ କଲେ ଜର୍ଡନ ପ୍ରିନ୍ସ
ଜର୍ଡନ ରାଜା ଅବଦୁଲା ଦ୍ୱିତୀୟଙ୍କ ଭାଇ ପ୍ରିନ୍ସ ଗାଜି ବିନ ମହମ୍ମଦ ଏବଂ ବୁଲଗାରିଆର ରାଜକୁମାରୀ ମରୟମଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ସମସ୍ତଙ୍କୁ ଚକିତ କରାଇଛି । ସୀମିତ ଲୋକଙ୍କୁ ନେଇ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ଦୁହେଁ ପରସ୍ପରକୁ ନିଜର ସାଥୀ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କିଙ୍ଗ ଅବଦୁଲା ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହା ଦୁହିଁଙ୍କ ଦ୍ୱିତୀୟ ବିବାହ।
ପ୍ରିନ୍ସ ଗାଜି ଏବଂ ମରିୟମଙ୍କ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି, କାରଣ ସାର୍ବଜନୀନ ସ୍ଥାନରେ ଦୁହିଁକୁ କେବେ ମଧ୍ୟ ଦେଖିବାକୁ ମିଳି ନଥିଲା। ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ କୌଣସି ଚର୍ଚ୍ଚା ହୋଇ ନଥିଲା । ଦ ରୟାଲ ହାଶିମେଟ କୋର୍ଟ ପକ୍ଷରୁ ବିବାହ ନେଇ ସୂଚନା ଦିଆଯାଇଛି । ଏହାସହ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଯାଇଛି।
ମାରିୟମଙ୍କ ଜନ୍ମ ସ୍ପେନିସ ପରିବାରରେ ହୋଇଥିଲା। ତାଙ୍କର ପ୍ରଥମ ବିବାହ ବୁଲଗାରିଆର ପ୍ରିନ୍ସ କର୍ଦମଙ୍କ ସହ ହୋଇଥିଲା। ମାରିୟମଙ୍କ ଦୁଇ ପୁଅ ଅଛନ୍ତି, ଜଣଙ୍କ ନାଁ ପ୍ରିନ୍ସ ବାରିସ ଏବଂ ଅନ୍ୟ ଜଣଙ୍କ ନାଁ ପ୍ରିନ୍ସ ବେଲଟ୍ରନ । ୨୦୧୫ରେ ପ୍ରିନ୍ସ କର୍ଦନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ବଡ଼ ପୁଅ ପ୍ରିନ୍ସ ବାରିସଙ୍କୁ ବୁଲଗାରିଆର ଉତ୍ତରାଧିକାରୀ କରାଯାଇଥିଲା । ଜର୍ଡନ ପ୍ରିନ୍ସ ଗାଜି ବିନ ମହମ୍ମଦଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ। ୧୯୯୭ ମସିହାରେ ସେ ଅରିଜ ଜୱାଇଙ୍କୁ ପ୍ରଥମେ ବିବାହ କରିଥିଲେ । ଦୁହିଁଙ୍କ ଚାରି ସନ୍ତାନ ଅଛନ୍ତି।