ବଡ଼ ବଡ଼ ମିଡ଼ିଆ ସଂସ୍ଥାରୁ ହେବ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱର ଅଧିକାଂଶ ଦେଶରେ ମାନ୍ଦାବସ୍ଥା ସ୍ଥିତି ଜାରି ରହିଥିବା ବେଳେ ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ, ଗୁଗଲ ପରି ବଡ଼ ବଡ଼ ଟେକ କମ୍ପାନୀମାନେ ଅନେକ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ ନେଇ ପଦକ୍ଷେପ ନେଇଛନ୍ତି । ତେବେ ଏହି ଛଟେଇ ଅଭିଯାନରୁ ବାଦ୍ ପଡ଼ିନାହିଁ ମିଡ଼ିଆ ସେକ୍ଟର ।

ସୂଚନା ମୁତାବକ, କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବା ପାଇଁ କିଛି ମିଡ଼ିଆ ସଂସ୍ଥା ଘୋଷଣା କରିଛନ୍ତି । ୨୦୨୧ର ଏକ ଅଧ୍ୟୟନ ଅନୁଯାୟୀ, ଗତ ୨୦୦୮ରୁ ୨୦୨୦ ମଧ୍ୟରେ ୧,୧୪,୦୦୦ରୁ ଅଧିକ ସାମ୍ବାଦିକଙ୍କୁ କାର୍ଯ୍ୟରୁ ବିଦା କରାଯାଇଥିଲା । ତେବେ ବଡ଼ ବଡ଼ ଆଇଟି କମ୍ପାନୀରୁ ଆରମ୍ଭ ହୋଇଥିବା ଛଟେଇ ଅଭିଯାନ ଏବେ ମିଡ଼ିଆ ସେକ୍ଟରରେ ପହଞ୍ଚି ଗଲାଣି । ବିଭିନ୍ନ ଚ୍ୟାଲେଞ୍ଜ ଓ ଆର୍ଥିକ ଅସ୍ଥିରତା କାରଣରୁ ଆମେରିକାର କିଛି ମିଡ଼ିଆ ବର୍ତ୍ତମାନ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ଏହା ମଧ୍ୟରେ ସିଏନଏନଠାରୁ ଆରମ୍ଭ କରି ୱାଶିଂଟନ ପୋଷ୍ଟ ପରି ବଡ଼ ବଡ଼ ସଂସ୍ଥାରୁ କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରାଯାଇଛି । ଏଥିସହିତ ବୋକ୍ସ ଓ ଦି ବର୍ଜ ୱେବସାଇଟ, ଲ୍ୟାଣ୍ଡମାର୍କ ନ୍ୟୁୟର୍କ ମାଗାଜିନ ପରି କିଛି ସଂସ୍ଥା ନିଜ ନିଜର ସାତ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ପାଇଁ ଘୋଷଣା କିରଛନ୍ତି । ଏକ ରିପୋର୍ଟ ମୁତାବକ, ବୋକ୍ସ ମିଡ଼ିଆ ୧୯୦୦ କର୍ମଚାରୀଙ୍କ ମଧ୍ୟରୁ ୧୩୦ ଜଣଙ୍କୁ ଲେ’ ଅଫ୍ କରିସାରିଛି । କିଛି ମାସ ପୂର୍ବରୁ ସିଏନଏନ ନିଜର ଶହ ଶହ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଥିଲା । ଏ ବାବଦରେ କମ୍ପାନୀ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇ ନଥିଲା । ସେହିପରି ୱାଶିଂଟନ ପୋଷ୍ଟର ୨୫୦୦ କର୍ମଚାରୀଙ୍କ ମୁଣ୍ଡରେ ଏବେ ଖଣ୍ଡା ଝୁଲୁଛି ।

Related Articles

Back to top button