
ଚଳନ୍ତା ଗାଡ଼ି ସହ ଧକ୍କା ହେଲା ବିମାନ, ୧୦ ଜଣ ଜୀବନ୍ତ ଦଗ୍ଧ
ମାଲେସିଆର ସେଲାଙ୍ଗୋର୍ରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଗୁରୁବାର ଏକ ଛୋଟିଆ ବିମାନ ଦୁଇ ଗାଡ଼ିକୁ ଧକ୍କା ଦେଇ ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ଏଲମିନା ଭ୍ୟାଲି ଆବାସିକ ଅଞ୍ଚଳର ସେଣ୍ଟ୍ରାଲ ପାର୍କ ନିକଟସ୍ଥ ଗୁଥରୀ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନ ଏବଂ ଗାଡ଼ିଗୁଡ଼ିକର ଖଣ୍ଡବିଖଣ୍ଡିତ ଅଂଶ ରାସ୍ତା ଉପରେ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।
ମୃତକମାନଙ୍କ ମଧ୍ୟରୁ ବିମାନର ୮ ଯାତ୍ରୀ ଏବଂ ୨ ଗାଡ଼ି ଚାଳକ ଅଛନ୍ତି। ଚାଳକ ଦ୍ୱୟ ହେଲେ ଜଣେ କାର୍ ଡ୍ରାଇଭର ଏବଂ ଅନ୍ୟ ଜଣେ ବାଇକ୍ ଚାଳକ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଦୁର୍ଘଟଣାରେ ଲୋକମାନେ ଆଖି ଆଗରେ ଜୀବନ୍ତ ଜଳିଯାଇଥିଲେ।
ବିମାନଟି ଏକ ସ୍ୱତନ୍ତ୍ର ଘରୋଇ ବିମାନ ସେବା ‘ଜେଟ୍ ଭାଲେଟ’ର ଥିଲା। ଏହା ଦିନ ୨ଟା ୮ ମିନିଟ୍ରେ ଲୋଙ୍ଗ୍କଭିରୁ ଉଡ଼ାଣ ଭରିଥିଲା। ଦୁର୍ଘଟଣାସ୍ଥଳଠାରୁ ବିମାନଟି ୧୦ କିଲୋମିଟରରୁ କମ୍ ଦୂରତାରେ ଥିଲା। ଜଣେ ଅଧିକାରୀଙ୍କ ମୁତାବକ, ବିମାନରେ ୬ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ।
ତେବେ ବିମାନଟି ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍ ୧୦ ମିନିଟ୍ ମଧ୍ୟରେ ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।