
୧୯୮୨ରେ ମେଡିସିନରେ ସ୍ୱାନ୍ତେ ପାବୋଙ୍କ ବାପା ଜିତିଥିଲେ ନୋବେଲ, ୪୦ବର୍ଷ ପରେ ପୁଅ ମଧ୍ୟ ଜିତିଲେ
୨୦୨୨ ବର୍ଷ ପାଇଁ ସ୍ୱାନ୍ତେ ପାବୋ(Svante Pääbo) ମେଡିସିନରେ ନୋବେଲ ପାଇବେ ବୋଲି ସୋମବାର ଘୋଷଣା ହୋଇଛି। ମାନବ ବିବର୍ତ୍ତନ ଉପରେ ଗବେଷଣା ଏବଂ ଆବିଷ୍କାର ପାଇଁ ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ମନୋନୀତି କରାଯାଇଛି।
ପାବୋ ତାଙ୍କ ଗବେଷଣାରେ ଏକ ବିରଳ ସଫଳତା ହାସଲ କରିଛନ୍ତି । ସେ ନିଅନଡର୍ଟାଲ ମାନବଙ୍କ ଜିନୋମ୍ ସିକ୍ବେନ୍ସିଂ କରିଛନ୍ତି। ଏହା ବର୍ତ୍ତମାନ ମଣିଷଙ୍କ ଏକ ବିଲୁପ୍ତ ସମ୍ପର୍କୀୟ। ସେ ମଧ୍ୟ ପୂର୍ବରୁ ଅଜଣା ଏକ ହୋମିନିନ ‘ଡେନିସୋଭା’ (ଏକପ୍ରକାର ବିଲୁପ୍ତ ଆଦିମାନବ)ଙ୍କ ବିଷୟରେ ଆବିଷ୍କାର କରିଛନ୍ତି। ଏହାସହ ଏକ ନୂଆ ବୈଜ୍ଞାନିକ ଶୃଙ୍ଖଳା ‘ପାଲିଓଜିନୋମିକ୍ସ’ର ଆବିଷ୍କାର କରିଛନ୍ତି ।
ସ୍ୱାନ୍ତେ ପାବୋ ହେଉଛନ୍ତି ପ୍ରସିଦ୍ଧ ବୈଜ୍ଞାନିକ ସୁନେ ବର୍ଗଷ୍ଟ୍ରମଙ୍କ ପୁଅ । ୧୯୮୨ ମସିହାରେ ମେଡିସିନରେ ସୁନେ ବର୍ଗଷ୍ଟ୍ରମଙ୍କୁ ନୋବେଲ ମିଳିଥିଲା।
୧୯୫୫ ମସିହାରେ ସ୍ୱିଡେନର ଷ୍ଟକହୋମରେ ସ୍ୱାନ୍ତେ ପାବୋଙ୍କ ଜନ୍ମ । ମ୍ୟାକ୍ସ ପ୍ଲାନକ ଇନଷ୍ଟିଚ୍ୟୁଟ୍ ଫର ଇଭଲ୍ୟୁସନାରୀ ଆନ୍ଥ୍ରୋପୋଲୋଜିର ସେ ନିର୍ଦ୍ଦେଶକ ଅଛନ୍ତି । ଉପସାଲା ବିଶ୍ୱ ବିଦ୍ୟାଳୟରୁ ମେଡିକାଲରେ ନିଜ ପଢା ଶେଷ କରିଥିଲେ। ଏହାପରେ ସେ ସେଲ୍ ବାୟୋଲଜି ଉପରେ ପାଠ ପଢାଇବା ଆରମ୍ଭ କରିଥିଲେ। ୧୯୮୬ ମସିହାରେ ନିଜର ପିଏଡି ହାସଲ କରିବା ପରେ ଇନଷ୍ଟିଚ୍ୟୁଟ୍ ଫର ମୋଲେକୁଲାର ବାୟୋଲଜି ଦ୍ୱିତୀୟରେ ନିଜର ପୋଷ୍ଟଡକ୍ଟରାଲ୍ ଗବେଷଣା ଆରମ୍ଭ କରିଥିଲେ । ଏହାପରେ ସେ ମ୍ୟୁନିଚ୍ ବିଶ୍ୱବିଦ୍ୟାଳୟ ଜର୍ମାନୀରେ ତାଙ୍କର ପୁରସ୍କାର ବିଜୟୀ ଅଧ୍ୟୟନ କରିଥିଲେ।
ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ପ୍ରତି ବର୍ଷ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ ।