
ସଡ଼କ ଦୁର୍ଘଟଣାରେ ପାକିସ୍ତାନ ମନ୍ତ୍ରୀଙ୍କ ମୃତ୍ୟୁ
ଇସଲାମାବାଦ: ପାକିସ୍ତାନର ଧାର୍ମିକ ମାମଲାର ମନ୍ତ୍ରୀ ତଥା ଜମିୟତ ଉଲେମା-ଏ-ଇସଲାମ(ଫଜଲ)ର ନେତା ମୁଫତି ଅବଦୁଲ ଶକୁରଙ୍କର ଇସଲାମାବାଦର ରେଡ ଜୋନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଗଣମାଧ୍ୟମ ସଂସ୍ଥା ଡନ ରବିବାର ଏହି ସୂଚନା ଦେଇଛି।
ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ମନ୍ତ୍ରୀ(୫୫) ଶନିବାର ସନ୍ଧ୍ୟାରେ ସମ୍ବିଧାନ ଏଭେନ୍ୟୁ ରୋଡର ସଚିବାଳୟ ଚୌକ ଆଡେ ଯାଉଥିବା ବେଳେ ତାଙ୍କ ଗାଡିକୁ ଏକ ଡିଲକ୍ସ ଗାଡି ଧକ୍କା ଦେଇଥିଲା। ଏଥିରେ ୫ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କୁ ବଞ୍ଚାଇ ହୋଇ ନ ଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୃତ ମନ୍ତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି, ମୁଁ ମୋର ବନ୍ଧୁ, ସହଯୋଗୀ ଓ କ୍ୟାବିନେଟର ମହତ୍ୱପୂର୍ଣ୍ଣ ସଦସ୍ୟ ମୁଫତି ଅବଦୁଲ ଶକୁରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଖୁବ ଦୁଃଖିତ। ସେ ଜଣେ ବ୍ୟବହାରିକ ବିଦ୍ୱାନ ତଥା ଜଣେ ଭଲ ମଣିଷ ଥିଲେ।
ମୁଫତି ଅବଦୁଲ ଶକୁରଙ୍କର ଅକାଳ ବିୟୋଗରେ ପାକିସ୍ତାନର ରାଷ୍ଟ୍ରପତି ମଧ୍ୟ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।