ନେପାଳରେ ପୁନର୍ବାର ରାଜନୈତିକ ସଙ୍କଟ: ସମର୍ଥନ ପ୍ରତ୍ୟାହାର କଲା ସିପିଏନ-ୟୁଏମଏଲ
କାଠମାଣ୍ଡୁ: ନେପାଳରେ ପୁନର୍ବାର ରାଜନୈତିକ ସଙ୍କଟ ଦେଖାଦେଇଛି । ଗଠବନ୍ଧନ ସରକାରରେ ସାମିଲ ନେପାଳ ୟୁନିଫାଇଡ ମାର୍କସିଷ୍ଟ ଲେନାନିଷ୍ଟ ସୋମବାର ସମର୍ଥନ ପ୍ରତ୍ୟାହାର କରିନେଇଛି । ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ମାର୍ଚ୍ଚ ୩ର କତାର ଗସ୍ତକୁ ବାତିଲ କରି ଦେଇଛନ୍ତି । ମାର୍ଚ୍ଚ ୯ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ପୁଷ୍ପ କମଲ ନେପାଳ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ପୌଡ୍ୟାଲଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଥିଲେ । ଗଠବନ୍ଧନ ସରକାର ସମର୍ଥକଙ୍କ ବିରୋଧରେ ସେ ଯାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ରିପୋର୍ଟ ମୁତାବକ ସିପିଏନ-ୟୁଏମଏଲଙ୍କ ୭୯ ସାଂସଦ ରହିଛନ୍ତି । ସେମାନେ ସରକାରରୁ ଓହରିଯିବା ପରେ ନେପାଳୀ କଂଗ୍ରେସ ୮୯ ସାଂସଦଙ୍କ ସମର୍ଥନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛି । ସରକାର ଗଠନ ବେଳେ ଅଢ଼େଇ ବର୍ଷ ଲେଖାଁଏ ପ୍ରଚଣ୍ଡ ଏବଂ ଓଲୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତି ହୋଇଥିଲା । ବର୍ତମାନ ପରିସ୍ଥିତିରେ ଓଲିଙ୍କ ପ୍ରଧାନମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଛି ।