
ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ୍ ଶୀଘ୍ର ୪୧ଟି ଦେଶ ବିରୋଧରେ କଡ଼ା କଟକଣା ଲାଗୁ କରିବାକୁ ଯାଉଛି
ଟ୍ରମ୍ପ ଏବେ ପୁଣି ଥରେ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ୍ ଶୀଘ୍ର ୪୧ଟି ଦେଶ ବିରୋଧରେ କଡ଼ା କଟକଣା ଲାଗୁ କରିବାକୁ ବିଚାର କରୁଛି ।ରିପୋର୍ଟ ଅନୁଯାୟୀ, ଆମେରିକା ଅନେକ ଦେଶର ନାଗରିକଙ୍କ ଉପରେ ନିଜ ଦେଶ ମଧ୍ୟକୁ ଯାତ୍ରାରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ବୃଦ୍ଧି ପାଇଛି । ସ୍ମାରକପତ୍ରରେ ୪୧ଟି ଦେଶର ତାଲିକା ଅନ୍ତର୍ଭୁକ୍ତ, ଯାହାକୁ ତିନୋଟି ଭିନ୍ନ ଗୋଷ୍ଠୀରେ ବିଭକ୍ତ କରାଯାଇଛି । ଏହି ତାଲିକାରେ ପାକିସ୍ତାନର ନାମ ମଧ୍ୟ ସାମିଲ ଅଛି, ଯାହା ଫଳରେ ପାକିସ୍ତାନୀ ନାଗରିକଙ୍କ ପାଇଁ ଆମେରିକା ଯାତ୍ରା କରିବା କଷ୍ଟକର ହୋଇପାରେ । ପ୍ରଥମ ଗୋଷ୍ଠୀରେ ୧୦ଟି ଦେଶ ଅଛନ୍ତି । ସେଥିରେ ପ୍ରମୁଖ ହେଉଛି ଆଫଗାନିସ୍ତାନ, ଇରାନ, ସିରିଆ, କ୍ୟୁବା ଏବଂ ଉତ୍ତର କୋରିଆ। ଏହି ଦେଶଗୁଡ଼ିକର ନାଗରିକଙ୍କ ପାଇଁ ଭିସା ସମ୍ପୂର୍ଣ୍ଣ ନିଷେଧ କରାଯିବ । ଦ୍ୱିତୀୟ ଗୋଷ୍ଠୀରେ ପାଞ୍ଚଟି ଦେଶ ଅନ୍ତର୍ଭୁକ୍ତ: ଇରିଟ୍ରିଆ, ହାଇତି, ଲାଓସ, ମିଆଁମାର ଏବଂ ଦକ୍ଷିଣ ସୁଡାନ।
ଉପରୋକ୍ତ ଦେଶଗୁଡ଼ିକ ଆଂଶିକ ସ୍ଥଗିତ ରହିବେ, ଯାହା ପର୍ୟ୍ୟଟକ ଏବଂ ଛାତ୍ର ଭିସା ସହିତ ଅନ୍ୟାନ୍ୟ ପ୍ରବାସୀ ଭିସାକୁ ପ୍ରଭାବିତ କରିବ, ଯଦିଓ କିଛି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇପାରେ। ତୃତୀୟ ଗୋଷ୍ଠୀରେ ବେଲାରୁଷ, ପାକିସ୍ତାନ ଏବଂ ତୁର୍କମେନିସ୍ତାନ ଭଳି ଦେଶ ସମେତ ୨୬ଟି ଦେଶ ଅଛନ୍ତି। ଏହି ଦେଶଗୁଡ଼ିକର ନାଗରିକମାନଙ୍କୁ ଭିସା ପ୍ରଦାନ କରିବା ଉପରେ ଆଂଶିକ ପ୍ରତିବନ୍ଧକ ଲାଗିପାରେ। ତଥାପି, ଏହି ଦେଶଗୁଡ଼ିକୁ ୬୦ ଦିନ ମଧ୍ୟରେ ସୁରକ୍ଷା ତ୍ରୁଟି ଦୂର କରିବା ପାଇଁ ସୁଯୋଗ ଦିଆଯିବ। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଟ୍ରମ୍ପ ନିଜର ପ୍ରଥମ ପାଳିରେ ୭ଟି ମୁସଲିମ ବହୁଳ ରାଷ୍ଟ୍ର ଉପରେ ସମାନ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଚଳିତ ଥର ଏହି ସଂଖ୍ୟା ସବୁଠୁ ଅଧିକ ହେବାକୁ ଯାଉଛି ।