ପୁଣି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ବିଶ୍ବକୁ ନାଲିଆଖି ଦେଖାଉଛି ଉତ୍ତର କୋରିଆ । ତାନାସାହି ରାଷ୍ଟ୍ରପତି କିମ୍ ଜଙ୍ଗ୍ ପୁଣି ଥରେ ମିସାଇଲ୍ ପରୀକ୍ଷଣ କରିଛନ୍ତି । ଦକ୍ଷିଣ କୋରିଆର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ମିସାଇଲ୍ ଟେଷ୍ଟ ହୋଇଛି । ଦକ୍ଷିଣ କୋରିଆ ଓ ଆମେରିକାର ମିଳିତ ଯୁଦ୍ଧ ଅଭ୍ୟାସ ବେଳେ ଏହି ମିସାଇଲ ମାଡ଼ ହୋଇଛି । ବାରମ୍ବାର ଚେତାବନୀ ସତ୍ତ୍ବେ ପରୀକ୍ଷଣ ଜାରି ରଖିଛି ଉତ୍ତର କୋରିଆ ।

ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଉତ୍ତର କୋରିଆ ପୂର୍ବ ସମୁଦ୍ର ଉପକୂଳ ଜଳରାଶିରେ ସ୍ପଷ୍ଟ ସୂଚିତ ନଥିବା ମିସାଇଲ ମାଡ଼ କରିଛି । ଏହି ମିସାଇଲର ଲଞ୍ଚ ସମୟ ଏବଂ ରେଞ୍ଜ୍ ସମ୍ବଦ୍ଧରେ କୌଣସି ତଥ୍ୟ ଏଯାଏଁ ମିଳି ପାରିନାହିଁ । କୁହାଯାଉଛି, ଏହା ସୋଭିଏ-ଇରା-ଏସଏ-୫ କ୍ଷେପଣାସ୍ତ୍ର । ଏହି ସଟ୍ ରେଞ୍ଜ୍ ବାଲାଷ୍ଟିକ୍ ମିସାଇଲ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇଥିଲା । ଏହାର ଲକ୍ଷ୍ୟ ଭେଦ କ୍ଷମତା ୨୫୦ କିଲୋମିଟର । ସେପଟେ ଉତ୍ତର କୋରିଆର ବାରମ୍ବାର ଏଭଳି ଗତିବିଧି ଉପରେ ନଜର ରଖିଛି ଦକ୍ଷିଣ କୋରିଆ ଓ ଜାପାନ । ଉତ୍ତର କୋରିଆ ବିରୋଧରେ କୁଟନୀତି ମାଧ୍ୟମରେ ଶକ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ଜାପାନର ପ୍ରତିରକ୍ଷା ମନ୍ତ୍ରୀ ।

ପୂର୍ବ ସପ୍ତାହରେ ମଧ୍ୟ ଉତ୍ତର କୋରିଆ ମିସାଇଲ ମାଡ଼ କରିଥିଲା । ଗୋଟିଏ ଦିନରେ ୨୩ଟି ମିସାଇଲ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରିଥିଲା । ଏଥି ମଧ୍ୟରୁ ଗୋଟିଏ ଦକ୍ଷିଣ କୋରିଆର ଜଳସୀମା ନିକଟରେ ପଡ଼ିଥିଲା। ଏହା ପରେ ଉଭୟ ଦେଶ ମୁହାମୁହିଁ ହୋଇଥିଲେ । ଦକ୍ଷିଣ କୋରିଆ ଓ ଆମେରିକାର ଯୁଦ୍ଧ ଅଭ୍ୟାସ ସମୟ ଏହି ମସାଇଲ୍ ମାଡ଼ ଆଉ ଏକ ନୂଆ ଯୁଦ୍ଧକୁ ଆମନ୍ତ୍ରଣ କରୁଛି ।

Related Articles

Back to top button