ପୁଣି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ

ସିଓଲ: ଜାପାନ ବାୟୁସୀମା ଉପରେ ମିସାଇଲ ଲଞ୍ଚ କରିବାର 24 ଘଣ୍ଟା ନପୁରୁଣୁ ମଧ୍ୟରେ ପୁଣି ମିସାଇଲ ଲଞ୍ଚ କରିଛି ଉତ୍ତର କୋରିଆ । ଦକ୍ଷିଣ କୋରିଆ ସେନା ପକ୍ଷରୁ ହୋଇଥିବା ଦାବି ଅନୁସାରେ ଆଜି ସକାଳେ ଉତ୍ତର କୋରିଆ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ ସମୁଦ୍ରକୁ ଲଞ୍ଚ କରିଛି। ଗତକାଲି ମଧ୍ୟ ଉତ୍ତର କୋରିଆ ଏକ ମିସାଇଲ ଲଞ୍ଚ କରିଥିବା ବେଳେ ଏହାକୁ ନେଇ ଜାପାନରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ମିସାଇଲଟି ଜାପାନ ବାୟୁସୀମା ଦେଇ ଅତିକ୍ରମ କରି ସମୁଦ୍ରରେ ପଡିବା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସତର୍କ କରାଇଥିଲେ ଜାପାନ ସରକାର । ତାର ମାତ୍ର 24 ଘଣ୍ଟା ନବିତୁଣୁ ପୁଣି ଏକ ମିସାଇଲ ଲଞ୍ଚ କରିଛି ଉତ୍ତର କୋରିଆ ।

ଦକ୍ଷିଣ କୋରିଆ ସେନା ପକ୍ଷରୁ ହୋଇଥିବା ଦାବି ଅନୁସାରେ, ସ୍ଥାନୀୟ ସମୟ ସକାଳ ପ୍ରାୟ 6.01ରୁ 6.23 ମଧ୍ୟରେ ଏହି ମିସାଇଲକୁ ପୋଙ୍ଗୟାଙ୍ଗ ନିକଟବର୍ତ୍ତୀ ସମୁଦ୍ରକୁ ମାଡ କରିଛି ଉତ୍ତର କୋରିଆ । ଗତକାଲି (ବୁଧବାର) ଉତ୍ତର କରିଆ ଲଞ୍ଚ କରିଥିବା ଏକ ମିସାଇଲ ଜାପାନ ବାୟୁସୀମାରେ ଗତି କରି ସମୁଦ୍ରରେ ପଡିଥିଲା । ଯାହକୁ ନେଇ ଜାପାନ ଆପତ୍ତି ଉଠାଇବା ସହ କିଛି ସମ୍ବେଦନଶୀଳ ସ୍ଥାନରେ ହାଇଆଲର୍ଟ ଜାରି କରିଥିଲା ।

ବର୍ତ୍ତମାନ ଆମେରିକା ଓ ଦକ୍ଷିଣ କୋରିଆ ନୌସେନା ମିଳିତ ସମରାଭ୍ୟାସ ଜାରି ରଖିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହେବାରେ ଲାଗିଛି ଉତ୍ତର କୋରିଆରେ । ସମୁଦ୍ରକୁ ମିସାଇଲ ମାଡ କରି ଉତ୍ତର କୋରିଆ ତାର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଦକ୍ଷିଣ କୋରିଆ ମଧ୍ୟ କୌଣସି ସ୍ଥିତି ପାଇଁ ପ୍ରସ୍ତୁତ ଥିବା କହିଛି । ପୂର୍ବରୁ ଉତ୍ତର କୋରିଆର ମିସାଇଲକୁ ଜବାବ ଦେବା ପାଇଁ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟ 4 ବାଲିଷ୍ଟିକ ମିସାଇଲ ସମୁଦ୍ରକୁ ଲଞ୍ଚ କରିଥିଲେ ।

Related Articles

Back to top button