ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ: ପୁଣି ଜଣେ ଯୁବତୀଙ୍କୁ ବିଭତ୍ସ ହତ୍ୟା

ତେହରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନା ଧରୁନି । ହିଜାବକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଛନ୍ତି ମହିଳା । ତେବେ ସେଠାକାର ସୁରକ୍ଷାବାହିନୀ ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରୁଥିବା ବେଳେ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ  ଅପହରଣ କରାଯାଇ ହତ୍ୟା କରାଯାଉଛି ।  ଗୋଟେ ପରେ ଗୋଟେ ଘଟଣା ଏପରି ସାମନାକୁ ଆସୁଛି ।

ଗଣମାଧ୍ୟମ  ରିପୋର୍ଟ ଅନୁସାରେ 17 ବର୍ଷୀୟ ଯୁବତୀ ନିକା ସାକରାମି ଆନ୍ଦୋଳନରେ ଭାଗ ନେଇ ନାରା ଲଗାଉଥିବା ବେଳେ ତାଙ୍କୁ ମୋରାଲ ପୋଲିସ ଗିରଫ କରିନେଇଥିଲା । ତେବେ ପରେ ତାଙ୍କୁ ପୋଲିସ ଛାଡିଦେଇଥିଲା । ସେ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ପିଛା କରୁଥିବା ସେ ଫୋନ କରିଥିଲେ । ପରେ ତାଙ୍କୁ ଅପହରଣ କରିନିଆଯାଇଥିଲା ।  ପରିବାର ଲୋକେ ବିଭିନ୍ନ  ଥାନାରେ ତାଙ୍କୁ ଖୋଜି ପାଇନଥିଲେ । ଥାନାରେ ମାମଲା ରୁଜୁ କରିଥିଲେ । ପରେ ପୋଲିସ ନିକାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଥିଲା । ନିକାଙ୍କ ନାକ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହି ଘଟଣା ପରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ମହିଳା ।

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ପାଇଁ ଶହେରୁ ଉର୍ଧ୍ବ ମହିଳାଙ୍କ ମୃତ୍ୟୁ ହେଲାଣି । ଗତ ମାସରେ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ମୋରାଲ ପୁଲିସ ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା  । ଏହା ପରେ ସମଗ୍ର ଇରାନରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ତେବେ ଏହି ଆନ୍ଦୋଳନ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନେଇ ।

ସେ ଆହୁରି ମଧ୍ୟ କହିଛନ୍ତି ଉକ୍ତ ଯୁବତୀର ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । କିନ୍ତୁ ତଦନ୍ତ ସରିବା ପୂର୍ବରୁ ରାସ୍ତାକୁ ଓହ୍ଲାଇବା, ହିଂସାକାଣ୍ଡ କରିବା, ଧର୍ମପୁସ୍ତକ ପୋଡ଼ିବା, ହିଜାବ ଓହ୍ଲାଇବା ସ୍ବାଭାବିକ ପ୍ରତିକ୍ରିୟା ନୁହେଁ ।

Related Articles

Back to top button