ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ସବୁଠୁ ବୟସ୍କା ଫ୍ଲାଇଟ୍ ଆଟେଣ୍ଡାଣ୍ଟ, ୬୫ ବର୍ଷ ହେବ କରୁଛନ୍ତି କାମ
ଆମେରିକାର ଜଣେ ୮୬ ବର୍ଷୀୟ ମହିଳା ବିଶ୍ୱର ସବୁଠୁ ବୟସ୍କା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ ନିକଟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି । ତାଙ୍କର ନାମ ହେଲା ବେଟ୍ଟେ ନ୍ୟାଶ । ସେ ମାସାଚୁସେଟ୍ସର ବୋଷ୍ଟନରେ ରହନ୍ତି । ଦୀର୍ଘ ୬୫ ବର୍ଷ ହେଲା ଆମେରିକାନ୍ ଏୟାରଲାଇନ୍ସରେ ନ୍ୟାଶ କାମ କରିଆସୁଛନ୍ତି । ଏତେ ବର୍ଷ ଧରି କଂପାନି ପ୍ରତି ନ୍ୟାଶଙ୍କର ସେବା ଭାବନା ପ୍ରଶଂସନୀୟ ବୋଲି ଗିନିଜ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ନ୍ୟାଶ ୧୯୫୭ ମସିହାରେ ମାତ୍ର ୨୧ ବର୍ଷ ବୟସରେ ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଜଣେ ଏୟାରହୋଷ୍ଟେସ୍ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଆମେରିକାନ୍ ଏୟାରଲାଇନ୍ସରେ ଯୋଗ ଦେଲେ । ସେବେଠାରୁ ଅଦ୍ୟାବଧି ସେ ଆମେରିକାନ୍ ଏୟାରଲାଇନ୍ସରେ ହିଁ କାମ କରୁଛନ୍ତି । ନ୍ୟୁୟର୍କ-ବୋଷ୍ଟନ୍-ୱାଶିଂଟନ୍ ଡିସି ରୁଟ୍ରେ ତାଙ୍କୁ ଦେଖିବାକୁ ମିଳିଥାଏ ।
ନିଜର ମଧୁର ବ୍ୟବହାର ଯୋଗୁ ଯାତ୍ରୀମାନଙ୍କ ନିକଟରେ ସେ ଖୁବ୍ ପ୍ରିୟ । ଏପରିକି ସେ ବିମାନରେ ନଥିଲେ ସେମାନଙ୍କୁ ଖାଲିପଣ ଲାଗିଥାଏ ବୋଲି ନିୟମିତ ଭାବେ ସେହି ରୁଟ୍ରେ ଯାତ୍ରା କରୁଥିବା କିଛି ଲୋକ ପ୍ରକାଶ କରିଛନ୍ତି । ତାଙ୍କର ଏକ ଦିବ୍ୟାଙ୍ଗ ପୁଅ ଥିବାବେଳେ ଏ ବୟସରେ ବି ନ୍ୟାଶ ତାଙ୍କର ଯତ୍ନ ନେଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଏହି ବୃତ୍ତିକୁ ଆସୁଥିବା ଯୁବପିଢ଼ିଙ୍କୁ କି ବାର୍ତ୍ତା ଦେବେ ବୋଲି ପଚରା ଯାଇଥିଲା ।
ଏହାପରେ ନ୍ୟାଶ କହିଛନ୍ତି, ନିଜ କାମ ସମୟରେ ମାନବିକତା ପ୍ରଦର୍ଶନ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା କୌଣସି ଟେକ୍ନୋଲୋଜି ନୁହେଁ, ଏହା ହେଲା ମାନବବିଜ୍ଞାନ । ଏହାକୁ କାମରେ ଲଗାଇଲେ ଜଣେ ନିଶ୍ଚିତ ଭାବେ ଏହି ବୃତ୍ତିର ଶିଖରକୁ ଯାଇପାରିବ । ଯେପର୍ଯ୍ୟନ୍ତ ମୋର ସ୍ୱାସ୍ଥ୍ୟ ଭଲ ଅଛି ଓ ମୁଁ କାମ କରିବାକୁ ସକ୍ଷମ ସେବେଯାଏ କାମ କରିଚାଲିବି ।