
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼, ଅଭିଯୁକ୍ତ ଗିରଫ
ଲାହୋର: ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ବିବାଦୀୟ ହୋଇ ପଡିଥିବା ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଗୁଳିମାଡରେ ସେ ଆହତ ହୋଇଛନ୍ତି। ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନର ୱଜିରାବାଦ ଆଲ୍ଲାହ ହୋ ଚୌକ ନିକଟରେ ଇମ୍ରାନଙ୍କ ନେତୃତ୍ୱରେ ଚାଲିଥିବା ଶୋଭାଯାତ୍ରା ଉପରକୁ ଏହି ଗୁଳିମାଡ କରାଯାଇଛି। ଏଥିରେ ଇମ୍ରାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସିନେଟର ଫୈଜଲ ଜାଭେଦ ଓ ଅହମଦ ଚଥା ଅଛନ୍ତି। ଇମ୍ରାନଙ୍କ ଉପରକୁ ୩-୪ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ତାଙ୍କ ଗୋଡ଼ରେ ଗୁଳି ବାଜିଛି।
ସୂଚନା ଅନୁଯାୟୀ, ଇମ୍ରାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଓ ତାଙ୍କୁ ନିକଟସ୍ଥ ହସ୍ପିଟାଲରୁ ଲାହୋରକୁ ସ୍ଥାନାନ୍ତରିତ କରାଯାଇଛି। ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଥିବା ସୂଚନା ମିଳିଛି।