
ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍ ସରକାର
ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍ ସରକାର। ଭାରତର କାର୍ଯ୍ୟାନୁଷ୍ଠାନର ବିରୋଧରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି ସୁଦ୍ଧା ଭାରତ ଛାଡ଼ିବାକୁ ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଏହି ଅଧିକାରୀଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି।ଅର୍ଥାତ ସେ ଆଉ ଭାରତରେ ରହିପାରିବେ ନାହିଁ। ନିଜ ପଦବୀ ବାହାରେ ସେ ଅନ୍ୟ କାମରେ ଲିପ୍ତ ଥିବାର ପ୍ରମାଣ ପାଇଥିଲା ଭାରତ। ତେଣୁ ତାଙ୍କୁ ପର୍ସନ ନନ୍ ଗ୍ରାଟା ଘୋଷଣା କରାଯାଇଛି। ୮ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା। ଆଗରୁ ପାକିସ୍ତାନର ଆଉ ଜଣେ ଅଧିକାରୀଙ୍କୁ ଏପରି ବହିଷ୍କାର କରିଥିଲା ଭାରତ।ଏହି ଅଧିକାରୀମାନଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ହୋଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସର ଜଣେ ଅଧିକାରୀ ଦାନିଶଙ୍କୁ ତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଜଡ଼ିତ ବୋଲି କୁହାଯାଉଛି। ଗୁପ୍ତଚର ଅଭିଯୋଗରେ ଧରାପଡ଼ିଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପଞ୍ଜାବ ଓ ହରିୟାଣାରୁ ଗିରଫ ହୋଇଥିବା ଅନେକ ଗୁପ୍ତଚରଙ୍କ ସହ ଦାନିଶଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି।