
ଗାଜା ଉପରେ କବଜା କରିବା ଯୋଜନା ଇସ୍ରାଏଲ ପାଇଁ ବହୁତ ବଡ଼ ଭୁଲ ହେବ : ବାଇଡେନ
ଗାଜା ଉପରେ କବଜା କରିବାକୁ ଯୋଜନା ଇସ୍ରାଏଲ ପାଇଁ ବହୁତ ବଡ଼ ଭୁଲ ହେବ। ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନିକଟରେ ବାଇଡେନ ଇସ୍ରାଏଲ ଗସ୍ତରେ ଯାଇପାରନ୍ତି। ସେ କେବେ ଇସ୍ରାଏଲ ଗସ୍ତ କରିବେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ।
ଯୁଦ୍ଧର ନିୟମ ଅନୁସାରେ ଇସ୍ରାଏଲ କାର୍ଯ୍ୟ କରିବ ବୋଲି କହିଛନ୍ତି ବାଇଡେନ। ଗାଜାରେ ନିରୀହ ସାଧାରଣ ଜନତାଙ୍କୁ ଔଷଧ, ପାଣି, ଖାଦ୍ୟ ଯୋଗାଇ ଦିଆଯିବ। ଦୀର୍ଘ ସମୟ ଧରି ଗାଜା ଉପରେ ଇସ୍ରାଏଲର ନିୟନ୍ତ୍ରଣ ଆବଶ୍ୟକ ନାହିଁ। ଗତକାଲି ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଇସ୍ରାଏଲ ଉତ୍ତର ଗାଜାରୁ ନାଗରିକଙ୍କୁ ଛାଡି ଚାଲିଯିବାକୁ କହିବା ଦ୍ବାରା, ସେଠାରେ ସ୍ଥାନାନ୍ତରଣ ସମସ୍ୟା ସୃଷ୍ଟି ହୋଇଛି। ଲକ୍ଷାଧିକ ଲୋକଙ୍କ ସ୍ଥାନାନ୍ତରଣ ଏକ ବୃହତ ମାନବ ସଂକଟ ଭାବେ ଉଭା ହୋଇଛି।
ସେପଟେ ଆମେରିକା ବୈଦେଶିକ ବ୍ୟାପାର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ସାଉଦି ଆରବ ଏବଂ ଇଜିପ୍ଟ ଗସ୍ତରେ ଯାଇ ଆଲୋଚନା କରିଛନ୍ତି। ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇଜିପ୍ଟ ଆଗେଇ ଆସିବାକୁ କହିଛି ଆମେରିକା। ଗାଜାରୁ ପଳାୟନ କରୁଥିବା ଲୋକଙ୍କ ଲାଗି ଇଜିପ୍ଟର ରାଫା ସୀମା ଖୋଲିବାକୁ କହିଛି ଆମେରିକା। ଗାଜା ନାଗରିକଙ୍କ ପ୍ରତି ବିପଦ ବଢୁଥିବାରୁ ମହିଳା ଓ ଶିଶୁଙ୍କୁ ଯୁଦ୍ଧକ୍ଷେତ୍ରରୁ ବାହାର କରିବାକୁ ଇଜିପ୍ଟ ସରକାରଙ୍କ ସହ ଆଲୋଚନା କରିଛନ୍ତି ବ୍ଲିଙ୍କେନ୍।
ସେପଟେ ଗାଜା ଉପରେ କବଜା କରିବନି ବୋଲି କହିଛି ଇସ୍ରାଏଲ । ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲର ପ୍ରତିନିଧି ଗିଲାଦ ଏର୍ଦାନ ଏହି କଥା କହିଛନ୍ତି। ଗାଜା ଉପରେ କବଜା କରିବାର ଇସ୍ରାଏଲର କୌଣସି ଇଚ୍ଛା ନାହିଁ। କେବଳ ଗୋଟିଏ ଲକ୍ଷ୍ୟ ହମାସ ଆତଙ୍କବାଦୀଙ୍କ ମୂଳପୋଛ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ଚେତାବନୀ ଦେବା ପରେ ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲର କୂଟନୈତିକ ପ୍ରତିନିଧି ଏହି ବକ୍ତବ୍ୟ ରଖିଛନ୍ତି।