ବ୍ରିଟେନ୍ ରାଜା କିଙ୍ଗ୍ସ ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବ୍ରିଟେନ୍ ରାଜା କିଙ୍ଗ୍ସ ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଙ୍ଗ୍ସ ଚାର୍ଲ୍ସ ୟୁକେ ରାଜଗାଦି ସମ୍ବାଳିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ଫୋନ୍ ଯୋଗେ ତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦୀର୍ଘ ସମୟ ଧରି ସୁଶାସନ ପାଇଁ ମୋଦୀ ତାଙ୍କୁ ବଧେଇ ଜଣାଇବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ ମହାମହିମ ୟୁକେ ରାଜା ଚାର୍ଲ୍ସଙ୍କ ସହ କଥା ହୋଇ ଖୁସୀ ଲାଗିଲା। ଉଭୟ ଦେଶର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ବିଷୟ ଯଥା ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଏବଂ କମନୱେଲ୍ଥ ଗ୍ୟାମ୍ ବିଷୟରେ ଆଲୋଚନା ହୋଇଛି। ତା ସହିତ ଭାରତର ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱ ଓ ମିସନ ଲାଇଫ୍ ବିଷୟରେ ମଧ୍ୟ ଆଲୋଚନା କଲୁ। ”

ମୋଦୀ ବ୍ରିଟେନ୍ ରାଜାଙ୍କ ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ମିଶନ ଲାଇଫ୍ ଜରିଆରେ କିପରି ପରିବେଶକୁ ଖାପ ଖୁଆଇଲାଭଳି ଜୀବନ ଶୈଳୀ ବଞ୍ଚି ହେବ ସେ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ମୋଦୀ। ତା ଛଡ଼ା ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ କିପରି ମଜଭୁତ କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ତା ସହ ୟୁକେରେ ଥିବା ଭାରତୀୟ ଲୋକେ କିପରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯୋଡ଼ି ରଖିଛନ୍ତି ସେ ନେଇ ମଧ୍ୟ ଚାର୍ଲ୍ସଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସୂଚନା ଥାଉକି ଗତବର୍ଷ ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନ୍ ରାଣୀ ଏଲିଜାବେଥଙ୍କର ମୃତ୍ୟୁ ପରେ  କିଙ୍ଗ୍ସ ଚାର୍ଲ୍ସ ତୃତୀୟ ରାଜ ସିଂହାସନରେ ବସିଥିଲେ।

Related Articles

Back to top button