
ଫେସବୁକ୍ର ମୂଳ କମ୍ପାନି ମେଟାକୁ ଆତଙ୍କୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କଲା ରୁଷ
ନୂଆଦିଲ୍ଲୀ: ଫେସବୁକର ମୂଳ କମ୍ପାନି ମେଟାକୁ ଆତଙ୍କବାଦୀ ଏବଂ ଚରମପନ୍ଥୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରିଛି ରୁଷ। ସଂପ୍ରତି ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏମିତି ସମୟରେ ଫେସବୁକର ମୂଳ କମ୍ପାନିକୁ ଏହି ତାଲିକାରେ ସାମିଲ୍ କରାଯିବା ଟେକ୍ କମ୍ପାନି ଲାଗି ବହୁତ ବଡ ଝଟକା।
ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ ସହିତ ଜାରି ଲଢେଇ ମଧ୍ୟରେ ରୁଷ ଫେସବୁକ୍ ସହିତ ଟୁଇଟର ଏବଂ ୟୁଟ୍ୟୁବ୍କୁ ମଧ୍ୟ ନିଜ ଦେଶରେ ନିଷେଧ କରିଥିଲା। ରୁଷ ଅଭିଯୋଗ କରିଥିଲା ଯେ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ରୁଷ ମିଡିଆ କମ୍ପାନିଙ୍କ ସହିତ ଭେଦଭାବ କରୁଛି। ରୁଷର ଏହି କଟକଣାରେ ଲକ୍ଷାଧିକ ଲୋକଙ୍କୁ ବିଶ୍ଵାସଯୋଗ୍ୟ ସୂଚନାରୁ ବଞ୍ଚିତ କରାଯାଇଥିବା ଫେସବୁକ ଅଭିଯୋଗ କରିଥିଲା।
ଫେବୃଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଆରମ୍ଭ ହେବା ପରେ ମାର୍ଚ୍ଚ ମାସରେ ରୁଷ ସରକାରଙ୍କ ସେନସରଶିପ ଏଜେନ୍ସି ଫେସବୁକ ଉପରେ ରୁଷ୍ ମିଡିଆ ସହ ଭେଦଭାବ ଆଭିମୁଖ୍ୟ ଆପଣେଉଥିବା ଅଭିଯୋଗ କରିଥିଲା। ଫେସବୁକ ସରକାର ସମର୍ଥିତ ଚ୍ୟାନେଲର କଣ୍ଟେଣ୍ଟକୁ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଦେଉନଥିବା ପୁଟିନ୍ ସରକାର ଅଭିଯୋଗ କରିଥିଲେ।