ଗୋଟିଏ ଦିନରେ ୟୁକ୍ରେନ ଉପରେ ରୁଷ ମାଡ଼କଲା ୧୨୦ଟି କ୍ଷେପଣାସ୍ତ୍ର

କିବ୍: ଶାନ୍ତି ଆଲୋଚନା ପାଇଁ ଉଭୟ ୟୁକ୍ରେନ ଓ ରୁଷ ପ୍ରସ୍ତୁତ ଥିବା କହୁଥିବାବେଳେ ଯୁଦ୍ଧର ତୀବ୍ରତା କମୁନାହିଁ । ରୁଷ ପକ୍ଷରୁ ଗୁରୁବାରଦିନ ୟୁକ୍ରେନ ଉପରେ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି ।

ଗୋଟିଏ ଦିନରେ ରାଜଧାନୀ କିବ୍ ସମେତ ଆଉ କେତେକ ସହର  ଉପରେ ୧୨୦ଟି କ୍ଷେପଣାସ୍ତ୍ର ମାଡ କରାଯାଇଛି । ଏହା ଫଳରେ କିବ ସହରର ଅଧା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । କିବ୍ ପରି ଖାରକିବ ଉପରେ ବି କ୍ଷେପଣାସ୍ତ୍ର ମାଡ କରାଯାଇଛି । ୟୁ୍କ୍ରେନର ବିଦ୍ୟୁତ ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ସେନା ଏହି କ୍ଷେପଣାସ୍ତ୍ର ମାଡ କରୁଛି । ତେବେ ଗୁରୁବାର ହୋଇଥିବା ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଭୟ ଭୂମି ଓ ସମୁଦ୍ରରେ ଥିବା ଯୁଦ୍ଧ ଜାହାଜରୁ ଏସବୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଅନ୍ୟପକ୍ଷରେ ୟୁକ୍ରେନର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅପରାହ୍ଣ ସୁଦ୍ଧା ରୁଷ ପକ୍ଷରୁ ୬୯ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ସେଗୁଡ଼ିକ ମଧ୍ୟରୁ ୫୪ଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ବାୟୁ ସୁରକ୍ଷା ବାହିନୀ ଧ୍ବଂସ କରିଦେଇଥିଲା । କିବ ଉପରକୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ମଧ୍ୟରୁ ୧୬ଟିକୁ ଧ୍ବଂସ କରାଯାଇଥିବାବେଳେ ଓଡେସା ଉପରେ ୨୧ ଟି କ୍ଷେପଣାସ୍ତ୍ରକୁ ଧ୍ବଂସ କରାଯାଇଥିଲା ।

Related Articles

Back to top button