
ବର୍ଷା ଯୋଗୁଁ ଆମେରିକାର ୬ ରାଜ୍ୟରେ ଭୀଷଣ ବନ୍ୟା
ଆମେରିକାର ୬ ରାଜ୍ୟରେ ଭୀଷଣ ବନ୍ୟା ଆସିଛି। କେଞ୍ଚୁକି, ଜର୍ଜିଆ, ଭର୍ଜିନିଆ, ପଶ୍ଚିମ ଭର୍ଜିନିଆ, ଟେନେସି ଏବଂ ଇଣ୍ଡିଆନାରେ ଏହି ବନ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଥିରେ କେଞ୍ଚୁକି ସର୍ବାଧିକ ପ୍ରଭାବିତ ହୋଇଛି। ଏହି ରାଜ୍ୟରେ ଗତ ୬ ଦିନରେ ୧୨ ଜଣଙ୍କ ଜୀବନ ଗଲାଣି। ଗତ କିଛି ଦିନ ତଳେ ଏହି ରାଜ୍ୟରେ ୬ ଇଞ୍ଚ ବର୍ଷା ହୋଇଥିଲା। ଏଥିଯୋଗୁଁ ବନ୍ୟା ପାଣି ମାଡ଼ି ଆସିଥିଲା। ଅନେକ ଲୋକ ପାଣି ଘେରରେ ଫସି ରହିଥିଲେ। ହଜାର ହଜାର ଗାଡ଼ି ଭାସି ଯାଇଥିଲା। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ରାଜ୍ୟରେ ନଦୀର ଜଳସ୍ତର ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ପଶ୍ଚିମ ଭର୍ଜିନିଆ ଏବଂ ଜର୍ଜିଆରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଭର୍ଜିନିଆରେ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି। କେଞ୍ଚୁକି ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାରେ ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।
ବର୍ଷା ସହିତ ଭୀଷଣ ଥଣ୍ଡା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ପୋଲାର ଭୋର୍ଟେକ୍ସ ଯୋଗୁଁ ହେଉଥିବା ଭୟଙ୍କର ଶୀତରେ ପୂର୍ବ ଆମେରିକାର ୯ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏହି ସବୁ ଅଞ୍ଚଳରେ ତାପମାତ୍ରା ରେକର୍ଡ ହ୍ରାସ ପାଇଛି। କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିଯୋଗୁଁ ସ୍କୁଲ ବନ୍ଦ କରିଦିଆଯାଇଛି। ପାଇପ ଫାଟି ଯାଇଥÒବାରୁ ୧୭ ହଜାର ସ୍ଥାନକୁ ପାଣି ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏଥିପାଇଁ ୧୪ ହଜାରରୁ ଅଧିକ ଘର ଅନ୍ଧାରରେ ଅଛି। ନ୍ୟାସନାଲ ୱେଦର ସର୍ଭିସର ପାଣିପାଗ ବିଜ୍ଞାନୀ ଆଣ୍ଡ୍ର୍ୟୁ ଓରିସନ କହିଛନ୍ତି ଯେ ଏବେ ମଧ୍ୟ ଆମେରିକାର ତାପମାତ୍ରା ସର୍ବାଧିକ ହ୍ରାସ ପାଇଛି। ମଧ୍ୟ-ପଶ୍ଚିମର କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୫୦ରୁ ୬୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।