ରାଜ୍ୟରେ ଆରମ୍ଭ ହେବ ଛତୁ ମିଶନ: ଚାଷୀଙ୍କୁ ମିଳିବ ସରକାରୀ ପ୍ରୋତ୍ସାହନ, ସାମିଲ୍ ହେବେ ଏସଏଚଜି

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଛତୁ ମିଶନ । ବର୍ତ୍ତମାନ ରାଜ୍ୟରେ ବାର୍ଷିକ ପାଖାପାଖି ୩୫ ହଜାର ଟନ୍ ଛତୁ ଉତ୍ପାଦିତ ହେଉଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ ଛତୁ ମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପାଳ ଛତୁ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ବ୍ୟୟବହୁଳ ବୋତାମ ଛତୁ କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନକୁ ଚାଷୀମାନେ ଚାହିଁ ରହିଛନ୍ତି ।

କେଉଁ ସବୁ ପଦକ୍ଷେପ ନେଲେ ରାଜ୍ୟରେ ଛତୁ ଚାଷକୁ ପ୍ରୋତ୍ସାହନ ମିଳିପାରିବ ତା’ ଉପରେ ସରକାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଲିସୀ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳଭଣ୍ଡାର ନଥିବାରୁ ଜନସାଧାରଣ ସତେଜ ଛତୁ ପାଇ ପାରୁନାହାନ୍ତି । ତେଣୁ ଏହି ପ୍ରସ୍ତାବ ଉପରେ କୃଷି ବିଭାଗ ପକ୍ଷରୁ ବିଚାର କରାଯାଉଛି । ଛତୁ ମିଶନ ବାବଦକୁ ପ୍ରାରମ୍ଭିକ ସ୍ତରରେ ଶହେ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନେ ଛତୁ ଉତ୍ପାଦନ କେବଳ ଚାଷୀଙ୍କ କ୍ଷେତ୍ରରେ ସୀମିତ ରହିଥିବା ବେଳେ ଆଗକୁ କିପରି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏଥିରେ ସାମିଲ ହୋଇ ପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ଛତୁ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସବସିଡି ବ୍ୟବସ୍ଥା ଲାଗୁ କରି ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରଖିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଏସଏଚଜି ଓ ଛତୁ ଚାଷୀଙ୍କ ସହାୟତାରେ ଛତୁ ଚାଷର ଉତ୍ପାଦନକୁ ବହୁଗୁଣିତ କରାଯିବ ବୋଲି କୃଷି ବିଭାଗ ସଚିବ କହିଛନ୍ତି । ଓଡ଼ିଶା ଛତୁ ଚାଷରେ ଜାତୀୟ ସ୍ତରରେ ଅଗ୍ରଣୀ ରହିଥିବା ବେଳେ ଛତୁ ମିଶନ କାର୍ଯ୍ୟକାରୀ ହେଲେ ଏହା ଚାଷୀଙ୍କୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ଜଣାପଡ଼ିଛି ।

Related Articles

Back to top button