ଶ୍ରୀଲଙ୍କାରେ ସରକାରୀ ନ୍ୟୁଜ ଚାନେଲ କବଜା କଲେ ଲୋକେ, ଲାଇଭରେ ଆସି ଦେଶକୁ ସମ୍ବୋଧିତ କଲେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରଜପକ୍ଷେ ଦେଶଛାଡି ପଳାୟନ କରିଛନ୍ତି। ସାରା ଦେଶ ଅରାଜକ ହୋଇପଡିଥିବା ବେଳେ ବିକ୍ଷୋଭକାରୀ ବୁଧବାର ଦେଶର ଜାତୀୟ ଟେଲିଭିଜନ ଚାନେଲକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଆଙ୍କରଙ୍କୁ ହଟାଇ ପ୍ରଦର୍ଶନକାରୀ ଦେଶକୁ ଲାଇଭ ସମ୍ବୋଧିତ କରିଥିବା ବେଳେ ଜାତୀୟ ଚାନେଲରେ ପ୍ରସାରଣ ବନ୍ଦ ହୋଇଯାଇଛି। ୪ ଦିନ ପରେ ବୁଧବାର ଶ୍ରୀଲଙ୍କାରେ ପୁଣି ଉଗ୍ର ପ୍ରଦର୍ଶନ ଚାଲିଥିବା ବେଳେ ଲୋକଙ୍କୁ ଘଉଡାଇବାକୁ କେତେକ ସ୍ଥାନରେ ପୋଲିସ ଗୁଳି ଚାଳନା କରିଥିବା ଜଣାପଡିଛି।

ସେପଟେ ଶ୍ରୀଲଙ୍କା ବାୟୁସେନା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ତାଙ୍କ ପରିବାର ଲୋକଙ୍କୁ ନେଇ ସୁରକ୍ଷିତ ମାଲଦ୍ୱୀପରେ ଛାଡି ଆସିଛି। ସେ ଏଠାରୁ ଦୁବାଇ ଯାତ୍ରା କରିପାରନ୍ତି। ତେବେ ରାଷ୍ଟ୍ରପତି ତାଙ୍କ ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚିବା ପରେ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ରାଷ୍ଟ୍ରପତି ଇସ୍ତଫା ନ ଦେଇ ଦେଶଛାଡି ଚାଲିଯିବା ବିକ୍ଷୋଭକାରୀଙ୍କୁ ଅସନ୍ତୁଷ୍ଟ କରିଛି। କାରଣ ଦେଶରେ ନୂଆ ସରକାର ଗଠନ ପ୍ରକ୍ରିୟା ଅଟକି ଯାଇଛି।

ଗୋଟାବାୟାଙ୍କ ଏପରି ପଳାୟନ ଯୋଗୁ ଅସନ୍ତୁଷ୍ଟ ବିକ୍ଷୋଭକାରୀ ସଂସଦ ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ। ତେବେ ପୋଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଦେଇଛି। ରନିଲ ୱିକ୍ରମସିଂହେଙ୍କୁ ବୁଧବାର ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ୱିକ୍ରମସିଂହେ ଏପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ତେବେ ରାଷ୍ଟ୍ରପତି ପଳାୟନ କରିଥିବାରୁ ସଂସଦ ବାଚସ୍ପତି ୱିକ୍ରମ ସିଂହଙ୍କ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି।

ତେବେ ରାଷ୍ଟ୍ରପତି ନିଯୁକ୍ତି ପୂର୍ବରୁ ୱିକ୍ରମ ସିଂହେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବ ବୋଲି ଘୋଷଣା କରିଥିଲେ। ତେବେ କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ ହେବା ପରେ ଜରୁରି ପରିସ୍ଥିତି ଜାରି ହେବନି ବୋଲି ଘୋଷଣା କରିଛନ୍ତି। ଉଗ୍ର ଭୀଡ ବୁଧବାର ଶ୍ରୀଲଙ୍କା ସରକାରୀ ନ୍ୟୁଜ୍ ଚାନେଲେ ଯଥିକା ରୂପବାହିନୀ କାର୍ଯ୍ୟାଳୟରେ ପଶି ଯାଇଥିଲେ। ଏଥିରେ ଜଣେ ପ୍ରଦର୍ଶନକାରୀ ଆଙ୍କର ଆସନରେ ବସି ନିଜର ପ୍ରତିକ୍ରିୟା ରଖିବାରେ ଲାଗିବାରୁ ଟେଲିଭିଜନର ପ୍ରସାରଣ ବନ୍ଦ କରିଦିଆଯାଇଛି।

Related Articles

Back to top button