କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣଙ୍କ ନାଁରେ ଏଣିକି ପୁରସ୍କାର ଦେବ କ୍ରିକେଟ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣଙ୍କ ନାଁରେ ଏଣିକି ଖେଳାଳିମାନେ ପାଇବେ ପୁରସ୍କାର। ପୁରୁଷ ଟେଷ୍ଟ ପ୍ଲେୟାର ଅଫ ଦ ଇୟର ଆୱାର୍ଡକୁ ଶେନ ୱାର୍ଣ୍ଣଙ୍କ ନାଁରେ ନାମିତ କରାଯାଇଛି। ବର୍ଷ ତମାମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଶେନ ୱାର୍ଣ୍ଣ ସମ୍ମାନ ମିଳିବ। ଆଜି ଠାରୁ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଏହି ସମୟରେ ଶେନ ୱାର୍ଣ୍ଣଙ୍କ ପ୍ରତି ସମସ୍ତେ ସମ୍ମାନ ଜଣାଇଥିଲେ। ଏହାପରେ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କ ନାଁରେ ପୁରସ୍କାର ଦେବାକୁ ଘୋଷଣା କରିଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ୫୨ ବର୍ଷୀୟ ଶେନ ୱାର୍ଣ୍ଣ ଥାଇଲ୍ୟାଣ୍ଡରେ ଅକସ୍ମାତ ପ୍ରାଣ ହରାଇଥିଲେ। ତାଙ୍କ ଅକାଳ ବିୟୋଭ ସମସ୍ତଙ୍କୁ ସବ୍ଧ କରି ଦେଇଥିଲା। ଏବେ ତାଙ୍କ ସମ୍ମାନାର୍ଥେ କ୍ରିକେଟ ଅଷ୍ଟ୍ରେଲିଆ ବଡ଼ ପଦକ୍ଷେପ ନେଇଛି। ୱାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ୱିକେଟ ଦଖଲ କରିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ କହିଛି ଏଣିକି ପ୍ରତିବର୍ଷ ଶେନ ୱାର୍ଣ୍ଣ ମେନ୍ସ ଟେଷ୍ଟ ପ୍ଲେୟାର ଅଫ ଦ ଇୟର ଆୱାର୍ଡ ଦିଆଯିବ। ଆଲାନ ବର୍ଡର ମେଡାଲ ପରେ ଏହା ଦ୍ୱିତୀୟ ସମ୍ମାନ ଜନକ ପୁରସ୍କାର। ଆଲାନ ବର୍ଡର ମେଡାଲ ସବୁ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଥିବା ପୁରୁଷ କିମ୍ବା ମହିଳା କ୍ରିକେଟରଙ୍କୁ ଦିଆଯାଏ। କ୍ରିକେଟ ଅଷ୍ଟ୍ରେଲିଆ ଶେନ ୱାର୍ଣ୍ଣଙ୍କୁ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରିକେଟରର ଆଖ୍ୟା ଦେଇଛି। ବିଶେଷ କରି ଟେଷ୍ଟ କ୍ରିକେଟରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିଥିବାରୁ ତାଙ୍କ ନାଁରେ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଥିବା କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ ନିକ୍‌ ହକଲେ କହିଛନ୍ତି।

Related Articles

Back to top button