ଆଫଗାନିସ୍ତାନରେ ମହିଳାଙ୍କ ପାର୍କ ଏବଂ ଜିମ୍ ଯିବା ଉପରେ କଟକଣା
ଆଫଗାନିସ୍ତାନରେ ମହିଳାଙ୍କ ପାର୍କ ଏବ ଜିମ୍ ଯିବା ଉପରେ କଟକଣା ଲାଗୁ ହୋଇଛି । ସେଠାକାର ତାଲିବାନ ସରକାର ମହିଳାଙ୍କଠାରୁ ଏହି ଅଧିକାର ଛଡାଇ ନେଇଛି । ଦେଶର ରାଜଧାନୀ କାବୁଲରେ ସାର୍ବଜନୀନ ପାର୍କ ଏବଂ ମେଳାରେ ମହିଳାଙ୍କ ପ୍ରବେଶ ଉପରେ ତାଲିବାନ ରୋକ ଲଗାଇଛି । ଏହି ନୂଆ ନିର୍ଦ୍ଦେଶ ଚଳିତ ସପ୍ତାହରୁ ଲାଗୁ ହେବ । ପୂର୍ବରୁ ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛି । ଏହା ପୂର୍ବରୁ ଆଫଗାନି ମହିଳାଙ୍କ ବାହାରେ କାମ କରିବା ଉପରେ ତାଲିବାନ ସରକାର କଟକଣା ଲଗାଇଥିଲା।
ତାଲିବାନ ମୁଖ୍ୟପାତ୍ର ମହିଳାଙ୍କ ପାର୍କ ଯିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିବା ଘୋଷଣା କରିଛନ୍ତି । ଅନ୍ୟପଟେ କାବୁଲରେ ମହିଳାଙ୍କ ସହ ପିଲାମାନଙ୍କୁ ମଧ୍ୟ ପାର୍କରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ଜଣେ ମହିଳା କହିବା ଅନୁସାରେ, ସେ ନିଜ ନାତୁଣୀଙ୍କ ସହ ପାର୍କ ଆସିଥିଲେ, କିନ୍ତୁ ତାଲିବାନ ଅଧିକାରୀ ତାଙ୍କୁ ପାର୍କରେ ପ୍ରବେଶ କରିବାକୁ ଦେଇ ନଥିଲେ ।
ଏହା ପୂର୍ବରୁ ତାଲିବାନ ଏକ ନିର୍ଦ୍ଦେଶ ଜାରି ମହିଳାଙ୍କ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଘରୁ ବାହାରିବା ସମୟରେ ସାଥିରେ ଜଣେ ପୁରୁଷ ରହିବା ଦରକାର ବୋଲି ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ତାଲିବାନ ନିଜ ମାର୍ଚ୍ଚର ନିର୍ଦ୍ଦେଶକୁ ମଧ୍ୟ ବଦଳାଇଥିଲା, ଯେଉଁଥିରେ ଝିଅମାନଙ୍କ ପାଇଁ ହାଇସ୍କୁଲ ଖୋଲାଯିବା ନେଇ ଘୋଷଣା କରାଯାଇଥିଲା।