ମୌସୁମୀ ସକ୍ରିୟ ,୧୨ ଜିଲାରେ ବର୍ଷିବ

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳର ସମୁଦ୍ର ପତ୍ତନଠାରୁ ୧.୫କିମି ଓ ୫.୮ କିମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୪ ଦିନ ଧରି ୧୨ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ବୁଧବାର କେନ୍ଦୁଝରରେ ସର୍ବାଧିକ ୫୩.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୨୨.୭ ମିମି, କଟକ ୧୯.୬ମିମି, ଢେଙ୍କାନାଳ ୩୩.୬ ମିମି, ଯାଜପୁର ୩୧ ମିମି, ବୌଦ୍ଧ ୨୨ ମିମି, ସୁବର୍ଣ୍ଣପୁର ୭.୨ ମିମି, ଭୁବନେଶ୍ବର ୮ ମିମି ବର୍ଷା ହୋଇଛି। ଗତ ୨୪ ଘଣ୍ଟା ଭିତରେ କନ୍ଧମାଳ, ବରଗଡ, ଢେଙ୍କାନାଳ, କୋରାପୁଟ, ବଲାଙ୍ଗୀର, ହୀରାକୁଦ, କେନ୍ଦୁଝର, ଭବାନୀପାଟଣା ଏବଂ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଦେବଗଡ ପ୍ରଭୃତି ୧୨ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।

Related Articles

Back to top button