ଯୁଦ୍ଧମୁହାଁ ଆଫ୍ରିକୀୟ ଦେଶ କଙ୍ଗୋ-ର୍ବାଣ୍ଡା

ପ୍ରାୟ ୪ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଲଢ଼େଇର କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ଏବେ ଦୁଇ ଆଫ୍ରିକୀୟ ଦେଶ ଯୁଦ୍ଧମୁହାଁ ହୋଇଛନ୍ତି। ଶୁକ୍ରବାର ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ(ଡିଆର୍‌ସି)ର ଜଣେ ସୈନିକ ପୂର୍ବ ଆଫ୍ରିକୀୟ ଦେଶ ର୍ବାଣ୍ଡାର ପୋଲିସ ଗୁଳିରେ ନିହତ ହେବା ଏବଂ ର୍ବାଣ୍ଡା ସମର୍ଥତ୍ତ ଏମ୍‌-୨୩ ବିଦ୍ରୋହୀ ଗୋଷ୍ଠୀ ପୂର୍ବ କଙ୍ଗୋର ଏକ ପ୍ରମୁଖ ସହର ବୁନାଗାନାକୁ ଦଖଲ କରିବାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। ଫଳରେ ୨୫ ବର୍ଷ ତଳେ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରଥମ କଙ୍ଗୋ ଯୁଦ୍ଧର ପୁନରାବୃତ୍ତି ଆଶଙ୍କା ଉପୁଜିଛି। ଦୁଇ ଦେଶ ପରସ୍ପର ସୀମାରେ ରକେଟ୍‌ ମାଡ଼ କରୁଥିବାର ଅଭିଯୋଗ ଆଣୁଛନ୍ତି। ଯଦି ର୍ବାଣ୍ଡା ଚାହୁଁଛି ତେବେ ଯୁଦ୍ଧ ହେବ ବୋଲି କଙ୍ଗୋ ସାମରିକ ଅଧିକାରୀ ସିଲ୍‌ଭେନ୍‌ ଏକେଞ୍ଜ କହିଛନ୍ତି। ଆମେ ର୍ବାଣ୍ଡାକୁ ଭୟ କରୁନାହିଁ। ଲଢ଼ିବାକୁ ମଧ୍ୟ ଡର ନାହିଁ। ସୀମାରୁ ଇଞ୍ଚେ କାହାରିକୁ ଦିଆଯିବ ନାହିଁ ବୋଲି ଏକେଞ୍ଜ ର୍ବାଣ୍ଡାକୁ ଚେତାବନୀ ଦେଇଛନ୍ତି।

ଆଫ୍ରିକୀୟ ଦେଶ କେନିୟା ରାଷ୍ଟ୍ରପତି ଉହୁରୁ କେନୟଟା ନବଗଠିତ ଇଷ୍ଟ ଆଫ୍ରିକାନ୍‌ ରିଜିଓନାଲ ଫୋର୍ସ୍‌ଙ୍କୁ ପୂର୍ବ କଙ୍ଗୋରେ ସକ୍ରିୟ ରଖିବା ନିମନ୍ତେ ଦେଇଥିବା ପ୍ରସ୍ତାବକୁ ଡିଆର୍‌ସି ସ୍ବାଗତ କରିଛି। ଏହା ଏମ୍‌-୨୩ ଗୋଷ୍ଠୀ ସହ ଲଢ଼େଇ କରିବ। ତେବେ ଏଥିରେ ର୍ବାଣ୍ଡାର କୌଣସି ପ୍ରକାର ଭାଗୀଦାରିକୁ ଗ୍ରହଣ କରାଯିବ ନାହିଁ ବୋଲି କଙ୍ଗୋ କହିଛି। କିଗାଲି (ର୍ବାଣ୍ଡା ରାଜଧାନୀ) ବିଦ୍ରୋହୀଙ୍କୁ ସମର୍ଥନ କରି କଙ୍ଗୋରେ ବିଶୃ୍‌ଙ୍ଖଳା ସୃଷ୍ଟି କରୁଥିବା କିନ୍‌ଶାସା (କଙ୍ଗୋ ରାଜଧାନୀ) ଅଭିଯୋଗ କରିଆସୁଛି। ତେବେ ର୍ବାଣ୍ଡା ବାରମ୍ବାର ଏହାକୁ ଖଣ୍ଡନ କରୁଛି। ଏମ୍‌-୨୩କୁ ର୍ବାଣ୍ଡାର ସମର୍ଥନ ରହିଥିବା ଜାତିସଂଘ ମଧ୍ୟ କହିଛି। ଡିଆର୍‌ସିର ଜଣେ ସୈନ୍ୟ ନିହତ ହେବା ପରେ ର୍ବାଣ୍ଡା ସହ କଙ୍ଗୋ ଏହା ସୀମାକୁ ବନ୍ଦ କରିଦେଇଛି। ର୍ବାଣ୍ଡା ଏବଂ ଉଗାଣ୍ଡା କଙ୍ଗୋରେ ଉତ୍ତେଜନା ଓ ଶାନ୍ତି ଭଙ୍ଗକାରୀ କାର୍ଯ୍ୟ କରିବାରୁ ବିରତ ରହିବା ଦାବିରେ ଗୋମାରେ ଆନ୍ଦୋଳନ ହୋଇଛି। ଏ ଦିଗରେ ଅନ୍ତର୍ଜାତୀୟ ସମୁଦାୟ ପଦକ୍ଷେପ ନେବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି।

Related Articles

Back to top button