କାନ୍ଧରେ ଅକ୍ସିଜେନ୍ ଟ୍ୟାଙ୍କ୍ ଧରି ଲଣ୍ଡନ ମାରାଥନ୍ରେ ଦୌଡ଼ିଲେ ଡିଭେନ୍
ଲଣ୍ଡନ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଜଣେ ଅସମ୍ଭବକୁ ସମ୍ଭବ କରିପାରିବେ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ବି କିଛି ନିଆରା କାମ କରିପାରିବେ । ଲଣ୍ଡନର ଡିଭେନ୍ ହଲାଇ ନାମକ ଜଣେ ବ୍ୟକ୍ତି ଏହାର ପାଲଟିଛନ୍ତି ଉଦାହରଣ । ସେ ଏକ ଦୁରାରୋଗ୍ୟ ଫୁସ୍ଫୁସ୍ ରୋଗରେ ପୀଡ଼ିତ । ସେଥିଯୋଗୁ ତାଙ୍କୁ ନିରନ୍ତର ଅକ୍ସିଜେନ୍ ଟ୍ୟାଙ୍କ୍ ବ୍ୟବହାର କରିବାକୁ ପଡୁଛି । ଏହା ସତ୍ତେ୍ୱ ରବିବାର ଅନୁଷ୍ଠିତ ଲଣ୍ଡନ ମାରାଥନ୍ରେ ସେ ଅକ୍ସିଜେନ୍ ଟ୍ୟାଙ୍କ୍ ସହିତ ଭାଗ ନେଇଛନ୍ତି । ନିଜ ଭଳି ଏହି ରୋଗଗ୍ରସ୍ତ ଅନ୍ୟମାନଙ୍କ ଚିକିତ୍ସା ଲାଗି ପାଣ୍ଠି ସଂଗ୍ରହ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଡିଭେନ୍ଙ୍କର ବୟସ ୩୭ ବର୍ଷ । ୨୦୨୦ରେ ସେ ଇଣ୍ଟରଷ୍ଟିଶିଆଲ୍ ଲଙ୍ଗ୍ ଡିଜିଜ୍(ଆଇଡିଏଲ୍) ରେ ପୀଡ଼ିତ ଥିବା ଜଣାପଡ଼ିଲା । ଫଳରେ ତାଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଲା । ତାଙ୍କ ଲାଗି ସାଧାରଣ କାମ ଏପରିକି ପାହାଚ ଚଢ଼ିବା କଷ୍ଟକର ହୋଇପଡ଼ିଲା । ପୂର୍ବରୁ ଡିଭେନ୍ ପ୍ରତି ସପ୍ତାହନ୍ତରେ ୧୦-୧୫ କିମି ଯାଏ ଦୌଡ଼ୁଥିବାବେଳେ ତାଙ୍କୁ ଚଲାବୁଲା କରିବାରେ ବି ସମସ୍ୟା ହେଲା ।
ଗତବର୍ଷ କେମୋଥେରାପି ପରେ ଡାକ୍ତରମାନେ ଡିଭେନ୍ଙ୍କୁ ଅକ୍ସିଜେନ୍ ଟ୍ୟାଙ୍କ୍ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ତେବେ ନିଜର ଖରାପ ସ୍ୱାସ୍ଥ୍ୟାବସ୍ଥା ସତ୍ତେ୍ୱ ଚଳିତବର୍ଷ ଆରମ୍ଭରେ ସେ ଲଣ୍ଡନ ମାରାଥନ୍ରେ ଭାଗ ନେବାକୁ ସ୍ଥିର କରିଥିଲେ । ନିଜ ଭଳି ରୋଗୀମାନଙ୍କ ଚିକିତ୍ସାରେ ସହାୟତା ପାଇଁ ପାଣ୍ଠି ସଂଗ୍ରହ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହାଛଡ଼ା ରୋଗ ଚିହ୍ନଟ ହେବାପରେ ସେ ନିଜର ଦୌଡ଼ିବା ଦକ୍ଷତାକୁ ବି ପରୀକ୍ଷା କରିବାକୁ ଚାହୁଁଥିଲେ । ମାରାଥନ୍ ଦୌଡ଼ ସମୟରେ ଅକ୍ସିଜେନ୍ ଟ୍ୟାଙ୍କ୍କୁ ପୂରଣ କରିବା ଲାଗି ଡିଭେନ୍ ତାଙ୍କ ସହିତ ୩ ଜଣ ସହାୟକଙ୍କୁ ନେଇଥିଲେ । ସୂଚନାଥାଉକି, ପୂର୍ବରୁ ବିଭିନ୍ନ ମାରାଥନ୍ରେ ଭାଗ ନେଇ ଡିଭେନ୍ ୧୫ ହଜାର ପାଉଣ୍ଡ ପାଣ୍ଠି ସଂଗ୍ରହ କରିଛନ୍ତି ।