
ବିଶ୍ୱ ବାଣିଜ୍ୟ ଯୁଦ୍ଧ ବଢିବାର ଆଶଙ୍କା ଗଭୀର ହେବା ସହ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟ ଯୁଦ୍ଧ ବଢିବାର ଆଶଙ୍କା ଗଭୀର ହେବା ସହ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଟ୍ରମ୍ପ ଆମେରିକାକୁ ଆମଦାନୀ ହେଉଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଅଧିକ ଶୁଳ୍କ ଲଗାଇଛନ୍ତି। ଆମେରିକାର ଏହି ପଦକ୍ଷେପ କାରଖାନାଗୁଡ଼ିକରେ ନିଯୁକ୍ତି ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି । ଏଥିସହ କାନାଡ଼ା ଏବଂ ୟୁରୋପୀୟ ସଂଘ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଉପରେ ଶୁଳ୍କ ସହ ଜବାବ ଦେଇଛନ୍ତି ।
ଆମେରିକାର ଏହି ପଦକ୍ଷେପ ପରେ କାନାଡା ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ୨୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି । ଏଥିସହିତ ୟୁରୋପୀୟ ସଂଘ ମଧ୍ୟ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ଘୋଷଣା କରିଛି । କାନାଡାର ଅର୍ଥମନ୍ତ୍ରୀ ଆମେରିକୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଘୋଷଣା କରିଛନ୍ତି । କାନାଡା ର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି, ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଅନ୍ୟାୟ ଏବଂ ଆମେରିକା ବିରୋଧରେ ଲଢ଼େଇ କରିବାକୁ ପଡିବ ।ସେହିପରି ୟୁରୋପୀୟ ସଂଘ ଏପ୍ରିଲରୁ ପ୍ରାୟ ୨୮ ବିଲିୟନ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁକ୍ଳ ଲାଗୁ କରିବାକୁ ଘୋଷଣା କରିଛି । ୟୁରୋପୀୟ ଆୟୋଗ ମୁଖ୍ୟ କହିଛନ୍ତି, ଏହାର ପ୍ରତିଶୋଧମୂଳକ ଶୁଳ୍କ ବୋର୍ବନ୍ ଠାରୁ ଆରମ୍ଭ କରି ମୋଟର ସାଇକେଲ୍ ପର୍ଯ୍ୟନ୍ତ ସବୁ କିଛି ଉପରେ ଲାଗୁ ହେବ । କାନାଡା ଗୁରୁବାରଠାରୁ ୨୦.୭ ବିଲିୟନ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛି ।