ଚାନ୍ସେଲର କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଚାନ୍ସେଲର (ଅର୍ଥମନ୍ତ୍ରୀ) କ୍ୱାସି କ୍ୱାର୍ଟିଂଗଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କ ସ୍ଥାନରେ କଞ୍ଜରଭେଟିଭ ନେତୃତ୍ୱର ପୂର୍ବ ପ୍ରାର୍ଥୀ ଜେରେମୀ ହଣ୍ଟଙ୍କୁ ନୂଆ ଚାନ୍ସେଲର ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶର ସାଂପ୍ରତିକ ଆର୍ଥିକ ପରିସ୍ଥିତି ସରକାରଙ୍କ ଲାଗି ସଂକଟ ଗୁରୁତର କରିପାରେ। ଏହା ଛଡା ଟ୍ରସ ଏପରି ଏକ ସମୟରେ ଏହି ପଦକ୍ଷେପ ନେଇଛନ୍ତି ଯେତେବେଳେ ଭାରତ-ବ୍ରିଟେନ ମୁକ୍ତ ବ୍ୟାପାର ସନ୍ଧିକୁ ନେଇ ଗତିରୋଧ ଲଗାତାର ଜାରି ରହିଛି।

ପୂର୍ବତନ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟିଂଗ ଗତମାସ ଶେଷରେ ମିନି ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପରେ ଦେଶରେ ଟ୍ୟାକ୍ସ କାଟ୍ ଆଶଙ୍କାରେ ଆର୍ଥିକ ଉଠାପକା ଦେଖାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ କ୍ୱାର୍ଟିଂଗଙ୍କୁ ବରଖାସ୍ତ କରିଦେଇଥିବାରୁ ଅର୍ଥମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୩୮ ଦିନର ରହିଛି। ସଂସଦରେ ତାଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍‌ରେ ଟ୍ୟାକ୍ସ କାଟରେ ସମ୍ଭାବିତ ୟୁ-ଟର୍ଣ୍ଣ ଆକଳନ କରାଯାଇଥିଲା। ପରିଣାମ ସ୍ୱରୂପ ଡଲାର ମୁକାବିଲାରେ ପାଉଣ୍ଡର ମୂଲ୍ୟ ହ୍ରାସ ହୋଇଥିଲା।

କାର୍ଟିଂଗ ବରଖାସ୍ତ ହେବା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ବୈଠକରେ ଯୋଗ ଦେବାକୁ ଆମେରିକା ଯାଇଥିଲେ। ତେବେ ସେ ତାଙ୍କର ଗସ୍ତ କାଣ୍ଟଛାଣ୍ଟ କରି ଫେରିଆସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଟ୍ରସ୍‌ ଓ କ୍ୱାର୍ଟିଂଗଙ୍କ ମଧ୍ୟରେ ଦୀର୍ଘ ବର୍ଷର ବନ୍ଧୁତା ରହିଛି। ତେବେ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟିଂଗ ଟ୍ୱିଟ୍‌ କରି ତାଙ୍କ ବରଖାସ୍ତ ପୁଷ୍ଟି କରିଛନ୍ତି। ଏଥିରେ ତାଙ୍କୁ ଚାନ୍ସେଲର ପଦରୁ ହଟିବା ଲାଗି କୁହାଯାଇଥିବା ଉଲ୍ଲେଖ କରିଛନ୍ତି।

ଏବେ ଖବର ଆସୁଛି ଟୋରି ସାଂସଦମାନେ ଲିଜ୍ ଟ୍ରସ୍‌ଙ୍କ ସ୍ଥାନରେ ପେନି ମୋର୍ଡେଣ୍ଟ ଓ ଋଷି ସୁନକଙ୍କ ନାମ ଉପରେ ବିଚାର କରିବା ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ବ୍ରିଟେନ କଞ୍ଜଭେଟିଭ ପାର୍ଟିର ବିପ୍ଲବି ନେତ୍ରୀ ଲିଜ ଟ୍ରସ୍‌ଙ୍କୁ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ଭାବେ ହଟାଇବା ପାଇଁ ବିଦ୍ଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଋଷି ସୁନକ ଗୋଷ୍ଠୀର ନେତା ସାମିଲ ଥିବା କୁହାଯାଉଛି। ‘ଦି ଟାଇମ୍ସ’ ଲାଗି ୟୁ ଗଭ ପୋଲ ମାଧ୍ୟମରେ ଏହି ଷଡ଼ଯନ୍ତ୍ର ଏବେ ଜଣାପଡିଛି।

ଏଥିରେ ଟୋରି ପାର୍ଟିର ଅର୍ଦ୍ଧାଧିକ ସମର୍ଥକ ନେତୃତ୍ୱ ନିର୍ବାଚନରେ ଭୁଲ ନେତାଙ୍କୁ ଚୟନ କରିଥିବାର ଭାବୁଛନ୍ତି। ୟୁ ଗଭ ପୋଲରେ ଗତ ନିର୍ବାଚନରେ କଞ୍ଜରଭେଟିଭକୁ ଭୋଟ ଦେଇଥିବା ଲୋକଙ୍କ ମଧ୍ୟରୁ ୬୨ ପ୍ରତିଶତ ଟ୍ରସ୍ ଓ ସୁନକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତାରେ ପାର୍ଟି ସଦସ୍ୟ ଭୁଲ ନେତାଙ୍କୁ ଚୟନ କରିଥିବା କହିଛନ୍ତି। ତେବେ ୧୫ ପ୍ରତିଶତଙ୍କ ମତାମତ ସମର୍ଥନରେ ଥିଲା। ଏଣୁ ଟୋରି ସାଂସଦମାନେ ଦଳ ଭିତରେ ଦ୍ୱିତୀୟ ସର୍ବାଧିକ ଭୋଟ ହାସଲ କରିଥିବା ପ୍ରାର୍ଥୀ ଋଷି ସୁନକଙ୍କୁ ଏବେ ବିକଳ୍ପ ଭାବେ ବିଚାର କରୁଛନ୍ତି।

Related Articles

Back to top button