ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍‌

କିଭ: ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧର ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଏହାକୁ ଉଲ୍ଲଙ୍ଘନ କରିଛି ରୁଷ୍। ଅର୍ଥଡକ୍ସ ଖ୍ରୀଷ୍ଟମାସ ନିମନ୍ତେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜାନୁଆରୀ ୬ ଓ ୭ ତାରିଖ ପାଇଁ ୩୬ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଥିଲେ। ଏପରିକି ୟୁକ୍ରେନକୁ ଅସ୍ତ୍ରବିରତି ପାଳନ ନିମନ୍ତେ ମଧ୍ୟ ପୁଟିନ କହିଥିଲେ। ଗୁରୁବାର ପୁଟିନ ଏହି ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ୍ ସେନା ବିମାନ ଆକ୍ରମଣ କରିଛି। ରୁଷ୍‌ର ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି। ସେ କହିଛନ୍ତି ଯେ ଅସ୍ତ୍ରବିରତି ନାମରେ ୟୁକ୍ରେନ ସେନାର ଅଗ୍ରଗତି ଉପରେ ରୁଷ୍ ରୋକ ଲଗାଇଛି। ଏହା ସତ୍ତ୍ବେ ଖ୍ରୀଷ୍ଟମାସ ନିମନ୍ତେ ତାଙ୍କ ସେନା ଅସ୍ତ୍ରବିରତି ପାଳନ କରିବ। ପୁଟିନଙ୍କ ଆଭିମୁଖ୍ୟକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସମାଲୋଚନା କରିଛନ୍ତି। ବାଇଡେନ କହିଛନ୍ତି ଯେ ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରୁଷ୍‌ ୟୁକ୍ରେନର ହସ୍ପିଟାଲ, ନର୍ସରୀ ଓ ଚର୍ଚ୍ଚ ଉପରେ ବୋମାମାଡ କରିଛି। ଏହି ଘଟଣାରୁ ପୁଟିନଙ୍କ ହତାଶା ଭାବ ଜଣାପଡୁଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି ଯେ ରୁଷ୍‌ ଉପରେ ୱାଶିଂଟନର ଆଦୌ ବିଶ୍ବାସ ନାହିଁ।

Related Articles

Back to top button