ୟୁକ୍ରେନ୍ର ପାୱାର ଗ୍ରୀଡ୍ ଭୁଶୁଡ଼ିଲା, ଦେଶର ପ୍ରାୟ ୪୫ ଲକ୍ଷ ଲୋକ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ର ସମ୍ମୁଖୀନ
କ୍ୱିଭ: ଋଷ୍ ସେନା ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥା ଗୁଡ଼ିକୁ ଆକ୍ରମଣ କରିବାରୁ ୟୁକ୍ରେନ୍ର ପାୱାର ଗ୍ରୀଡ୍ ଭୁଶୁଡ଼ି ପଡ଼ିଛି । ଏହାଯୋଗୁ ଦେଶର ପ୍ରାୟ ୪୫ ଲକ୍ଷ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବାକୁ ୟୁକ୍ରେନ୍ ଯେତେ ଚେଷ୍ଟା କରୁଛି ପୁଟିନ୍ ସେନା ପୁଣି ମିସାଇଲ୍ ହମ୍ଲା କରି ସବୁ ବିଗାଡ଼ି ଦେଉଛି । ବାରମ୍ବାର ଆକ୍ରମଣ ଯୋଗୁ ଖେର୍ସୋନ୍ରେ ବିଦ୍ୟୁତ୍ ଭିତ୍ତିଭୂମି ବରବାଦ ହୋଇଯାଇଛି । ଏହାଯୋଗୁ ଏଠାକାର ଲୋକମାନେ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ର ସମ୍ମୁଖୀନ ହେଉଛନ୍ତି ।
ଖେର୍ସୋନ୍ ପରେ ରାଜଧାନୀ କିଏଭ୍ ସ୍ଥିତି ମଧ୍ୟ ଖରାପ ହୋଇଛି । ଋଷ୍ ସେନା ଏଠାକାର ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାରମ୍ବାର ଟାର୍ଗେଟ୍ କରିବାରୁ ବିଜୁଳି ସେବା ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଏହାଯୋଗୁ ଜଳଯୋଗାଣ ଠପ୍ ହୋଇଯାଇଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର କିଏଭ୍କୁ ଖାଲି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜଧାନୀର ମେୟର ଭିଟାଲି କ୍ଲିସ୍କୋ କହିଛନ୍ତି, ସହରର ଲୋକମାନେ ସେମାନଙ୍କ ଘର ଛାଡ଼ିବାକୁ ପ୍ରସ୍ତୁତ ରହିବା ଉଚିତ । ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ସହର ଖାଲି କରିବାକୁ ପଡ଼ିପାରେ ।
ରାଜଧାନୀ କିଏଭ୍ର ଅନେକ ଅଞ୍ଚଳକୁ ବିଜୁଳି ଯୋଗାଣ ବନ୍ଦ ରହିଛି । ଲକ୍ଷ ଲକ୍ଷ ଲୋକ ଏହି ସେବାରୁ ବଞ୍ଚି ହେଉଛନ୍ତି । ଜଳଯୋଗାଣ ବି ପ୍ରଭାବିତ ହୋଇଛି । ମରାମତି କାମ ପାଇଁ ମଧ୍ୟ ବିଜୁଳି କାଟିବାକୁ ପଡୁଛି । ଏଭଳି ସ୍ଥିତି ଲାଗିରହିଲେ, ଅଧିକ ଦିନ ଧରି ସରକାର ଏହାର ମୁକାବିଲା କରିପାରିବେ ନାହିଁ । ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥାକୁ ସଜାଡ଼ିବା ଆଉ ସମ୍ଭବପର ହେବନାହିଁ । ତେଣୁ ଲୋକମାନେ ସହର ଛାଡ଼ିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ରୁଷ୍କୁ ଚେତାବନୀ ଦେଇଛନ୍ତି । ଭିତ୍ତିଭୂମି ବ୍ୟବସ୍ଥାକୁ ବାରମ୍ବାର ଟାର୍ଗେଟ୍ କଲେ ଭୟଙ୍କର ପରିଣତି ଭୋଗିବାକୁ ହେବ ବୋଲି କହିଛନ୍ତି । ଏପଟେ ଲୋକଙ୍କୁ ସତର୍କ କରାଇ କହିଛନ୍ତି, ରୁଷ୍ କିଏଭ୍ର ଭିତ୍ତିଭୂମି, ଶକ୍ତି ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେ କୌଣସି ସମ୍ଭାବ୍ୟ ପଦକ୍ଷେପ ଆପଣାଇପାରେ । ତାହା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ ।
ଋଷୀ ଆକ୍ରମଣ ଯୋଗୁ ୟୁକ୍ରେନ୍ର ୪୦% ବିଦ୍ୟୁତ୍ ବ୍ୟବସ୍ଥା ଭୁଶୁଡ଼ି ସାରିଲାଣି । ଖେର୍ସୋନ୍ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରେ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ ସ୍ଥିତି ଲାଗିରହିଛି । ଏବେ ରୁଷ ସେନା ଏଠାରେ ଘରେ ପଶି ଲୁଟୁଛନ୍ତି । ୟୁକ୍ରେନୀୟ ଟିଭି ଚ୍ୟାନେଲ୍କୁ ବାର୍ତ୍ତା ଦେଇ କିଏଭ୍ ମେୟର ଭିଟାଲି କ୍ଲିସ୍କୋ କହିଛନ୍ତି, ଭିତ୍ତିଭୂମିକୁ ଟାର୍ଗେଟ୍ କରି ରୁଷ୍ ଆତଙ୍କବାଦୀଙ୍କ ଭଳି ଆଚରଣ କରୁଛି । ଏହାକୁ ସାମୂହିକ ହତ୍ୟା ବିବେଚନା କରାଯାଇ ପାରିବ ।
ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନୀୟ ନାଗରିକଙ୍କୁ ଚାହୁଁନାହାନ୍ତି। ସେ କେବଳ ୟୁକ୍ରେନ୍ର ଅଞ୍ଚଳ ଉପରେ ଆଖି ପକାଉଛନ୍ତି। ତେଣୁ ଭିତ୍ତିଭୂମି ବ୍ୟବସ୍ଥାକୁ ବାରମ୍ବାର ଆକ୍ରମଣ କରି ରୁଷ୍ କେବଳ ନରସଂହାର ରଚୁଥିବା କୁହାଯାଇ ପାରିବ। ରାଜଧାନୀର ଆଉ ଜଣେ ଅଧିକାରୀ କହିଛନ୍ତି, କ୍ୱିଭ ଯଦି ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ ହୋଇଯାଏ, ତେବେ ଜଳଯୋଗାଣ ଓ ସ୍ୱେରେଜ ବ୍ୟବସ୍ଥା କାମ କରିବା ବନ୍ଦ କରିଦେବ। ଏହାର ପରିଣତି ଭୟଙ୍କର ହେବ । ଏଭଳି କ୍ଷେତ୍ରରେ କିଏଭ୍ର ୩୦ ଲକ୍ଷ ବାସିନ୍ଦା ସେମାନଙ୍କ ବନ୍ଧୁ, ପରିଜନଙ୍କ ସହ ଅନ୍ୟଠାରେ ରହିବା ପାଇଁ ଏବେଠୁ ବ୍ୟବସ୍ଥା କରିବା ଅତି ଜରୁରି ହୋଇପଡ଼ିଛି।