ୟୁକ୍ରେନରେ ଋଷିଆର କ୍ଷେପଣାସ୍ତ୍ର ଆକ୍ରମଣକୁ ମିଳିତ ଜାତିସଂଘ ସାଧାରଣ ସଭାର ନିନ୍ଦା

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ)ରେ ଋଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଆକ୍ରମଣକୁ ମିଳିତ ଜାତିସଂଘର ସାଧାରଣ ସଭା ନିନ୍ଦା କରିଛି । ଏହି ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଳି ମିଳିତ ଜାତିସଂଘର ମୁଖ୍ୟ କହିଛନ୍ତି । ଏହି ନିନ୍ଦା ପ୍ରସ୍ତାବରେ ମୋଟ ୧୪୩ ସଦସ୍ୟ ଏହି ସଂକଳ୍ପ ସପକ୍ଷରେ ଭୋଟ୍ ଦେଇଥିବାବେଳେ ପାଞ୍ଚ ଜଣ ଏହାକୁ ବିରୋଧ କରିଛନ୍ତି।

ଭାରତ ସମେତ ୩୫ ରାଷ୍ଟ୍ର ଏହି ସଂକଳ୍ପରୁ ନିବୃତ୍ତ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଏକ ସାର୍ବଭୈାମତ ରାଷ୍ଟ୍ରକୁ ବିଶ୍ବ ମାନଚିତ୍ରରୁ ଲିଭାଇବାକୁ ଚାହୁଁଛି ଋଷ । ଯାହାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ ।

ଋଷିଆ ସୁରକ୍ଷା ପରିଷଦରେ ଏଭଳି ନିନ୍ଦା ପ୍ରସ୍ତାବକୁ ପୂର୍ବରୁ ଥରେ ଭିଟୋ ପ୍ରୟୋଗ କରି ଅଟକାଇଥିଲା । ପରେ ହୋଇଥିବା ଭୋଟରେ ପ୍ରସ୍ତାବ ଗ୍ରହଣ ହୋଇଛି । ତେବେ ଭାରତର କୂଟନୀତି ଅନୁଯାୟୀ ଏହି ଭୋଟ ବେଳେ ଭାରତ ଏଥିରୁ ନିବୃତ୍ତ ରହିଥିଲା। ୟୁକ୍ରେନର ଚାରିଟି ଅଞ୍ଚଳକୁ ଋଷିଆ ବେଆଇନ ଭାବେ ଅକ୍ତିଆର କରିବା ପରେ ମିଳିତ ଜାତିସଂଘରେ ଏହାକୁ ନିନ୍ଦା କରାଯାଇଛି । ସୋମବାର ଋଷିଆର ଘନ ଘନ ମିଶାଇଲ ଆକ୍ରମଣ ପରେ ମିଳିତ ଜାତିସଂଘରେ ଏପରି ନିନ୍ଦା ପ୍ରସ୍ତାବ ପାରିତ ହୋଇଛି ।

ସୋମବାର ଦିନ ୟୁଏନଜିଏରେ ଗୁପ୍ତ ମତଦାନ କରିବାକୁ ଋଷିଆ ଚାହିଁଥିଲା । ଯାହାକୁ କି ଭାରତ ପ୍ରତ୍ୟାଖ୍ୟାନ କରିଥିଲା । ୟୁକ୍ରେନ ଉପରେ ହୋଇଥିବା ସଂକଳ୍ପ ଉପରେ ରୁଷ ଏକ ଗୁପ୍ତ ମତଦାନ ପ୍ରସ୍ତାବ ଦେବା ପରେ ଆଲବାନିଆ ଏକ ଖୋଲା ଭୋଟ୍ ମାଗିଥିଲା ଯାହାକୁ ଭାରତ ସହ ଅଧିକାଂଶ ଦେଶ ସମର୍ଥନ ଦେଇଥିଲେ।

ଗତ ଶନିବାର ଦିନ କ୍ରିମିୟାକୁ ଯୋଡୁ ଥିବା ବ୍ରିଜ ବିସ୍ଫୋରଣ ପରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି, ଯାହା ମସ୍କୋରୁ ୟୁକ୍ରେନର ପ୍ରମୁଖ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ଲାଗିଛି । ଋଷର ଯୁଦ୍ଧ କାର‌୍ୟ୍ୟକଳାପକୁ ନିନ୍ଦା କରି ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଋଷର ଏଭଳି ମାରାତ୍ମକ କାର‌୍ୟ୍ୟକୁ ନେଇ ସେ ଅତ୍ୟନ୍ତ ଚକିତ ହୋଇଯାଇଛନ୍ତି । ଯୁଦ୍ଧ ଏବେ ଗ୍ରହଣୀୟ ନୁହେଁ। ସେପଟେ ଟେଲିଭିଜନରେ ପୁଟିନ କହିଛନ୍ତି ଋଷ ସମଗ୍ର ୟୁକ୍ରେନରେ ସାମରିକ କାର‌୍ୟ୍ୟକଳାପ ଜାରି ରଖିବ ।

Related Articles

Back to top button