କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ଵସ୍ତୁକୁ ମିସାଇଲ୍‌ ମାଡ଼ କରି ଖସାଇଲା ଆମେରିକା

ୱାଶିଂଟନ: କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ସିଲିଣ୍ଡର ଆକୃତିର ଏକ ଯନ୍ତ୍ରକୁ ମିସାଇଲ୍‌ ମାଡ଼ କରି ଖସାଇଲା ଆମେରିକା। ଶନିବାର ସକାଳେ ଏଭଳି ଘଟଣା ଘଟିଛି। ଆମେରିକାର ଯୁଦ୍ଧ ବିମାନ ଏଫ୍‌-୨୨ ଏହାକୁ ଟାର୍ଗେଟ୍ କରି ଖସାଇ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଏହି ସୂଚନା ଦେଇଛନ୍ତି। କାନାଡ଼ାର ଉତ୍ତରାଞ୍ଚଳର ୟୁକୋନ ସୀମାରେ ଏହି ଯନ୍ତ୍ରଟି ଉଡ଼ୁଥିବା ବେଳେ ଏହାକୁ ଆମେରିକା ଶୁଟ୍ କରି ଖସାଇ ଦେଇଛି ବୋଲି ଟ୍ରୁଡେଉ କହିଛନ୍ତି।

ତେବେ ଟାର୍ଗେଟ୍ କରାଯାଇଥିବା ଏହି ଯନ୍ତ୍ରଟି କଣ ତଥା କାହିଁକି ସେ ସୀମାରେ ଉଡ଼ୁଥିଲା ସେ ବିଷୟରେ ଜାଣିବା ପାଇଁ କାନାଡ଼ ସେନା ଏହାର ଧ୍ୱଂସାବଶେଷଗୁଡ଼ିକୁ ଉଦ୍ଧାର କରି ଗବେଷଣା କରିବ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ କାନାଡ଼ାରେ ଦ୍ୱିତୀୟ ଥର ଏଭଳି ଘଟଣା ଘଟିଲା। ନିକଟରେ ଉତ୍ତର ଆମେରିକାରେ କାରୋଲିନାରେ ଚୀନର ଗୁଇନ୍ଦା ବେଲୁନ ଘଟଣା ସାରା ବିଶ୍ୱ ଜାଣିଥିଲା। ଏହାପରେ ଦୁଇ ଦେଶ ସତର୍କ ହୋଇଯାଇଛନ୍ତି।

ତେବେ କାନାଡ଼ାରେ ଘଟିଥିବା ଏହି ଘଟଣା ସମ୍ପର୍କରେ କାନାଡ଼ା ପ୍ରତିରକ୍ଷାମନ୍ତ୍ରୀ ଅନିତା ଆନନ୍ଦ ସୂଚନା ଦେଇଛନ୍ତି। ସିଲିଣ୍ଡର ଭଳି ଆକୃତି ଥିବା ଏକ ଯନ୍ତ୍ରକୁ ଟାର୍ଗେଟ୍ କରାଯାଇଛି ବୋଲି ସେ କହିଛନ୍ତି। ତେବେ ବାସ୍ତବରେ ଯନ୍ତ୍ରଟି କଣ ସେ ନେଇ କୌଣସି ଅନୁମାନ ଲଗାଇବାକୁ ମନା କରିଛନ୍ତି କାନାଡ଼ା ପ୍ରତିରକ୍ଷାମନ୍ତ୍ରୀ।

ତେବେ ଏହି ଯନ୍ତ୍ରଟି ଆମେରିକାର ଦକ୍ଷିଣ କାରୋଲିନ ଉପକୂଳରେ ଦେଖାଯାଇଥିବା ଚୀନର ସ୍ପାଏ ବେଲୁନ୍‌ ଠାରୁ ଆକାରରେ ଛୋଟ। ତେବେ ଏହାରର ଆକାର ସ୍ପାଏ ବେଲୁନ ଭଳି। ଏହା ଭୂପୃଷ୍ଠରୁ ୪୦ ହଜାର ଫୁଟ ଉଚ୍ଚାରେ ଉଡ଼ୁଥିଲା। ଯାହା ଜନବସତି ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଉଥିଲା ବୋଲି ଅନିତା କହିଛନ୍ତି।

ତେବେ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ ଏହି ଯନ୍ତ୍ରଟି ଶୁକ୍ରବାର ବିଳମ୍ବିତ ରାତିରେ ଆଲାସ୍କାର ନର୍ଥ ଆମେରିକାନ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (NORAD) ଉପରେ ଉଡ଼ୁଥିଲା। ଏହାକୁ କାନାଡ଼ା ସୀମା ଅତିକ୍ରମ କରିବା ପରେ ଯୁଦ୍ଧ ବିମାନ ଏଫ୍‌-୨୨ରେ ଏଆଇଏଣ୍୯ଏକ୍ସ ମିସାଇଲ୍ ମାଡ଼ କରି ଖସାଇ ଦିଆଯାଇଥିଲା। ଉଭୟ କାନାଡ଼ା ଓ ଆମେରିକା ସେନା ମିଳିତ ହୋଇ ଏହି ଅପରେସନ କରିଥିଲେ ବୋଲି ପେଣ୍ଟାଗନ ପ୍ରବକ୍ତା ବ୍ରିଗ୍. ଜେନ୍. ପାଟ୍ରିକ୍ ରାଇଡର କହିଛନ୍ତି। ବାଇଡେନ୍ ଓ ଟ୍ରୁଡେୟୁଙ୍କ ସହମତିରେ ଏହି ଟାର୍ଗେଟ୍ କରାଯାଇଥିଲା ।

Related Articles

Back to top button