
ମୋଦୀଙ୍କ ଗସ୍ତ ପରେ ,ଖାଲିସ୍ତାନ ସମର୍ଥକ ଆତଙ୍କବାଦୀମାନେ ଦେଶରେ ଆଶ୍ରୟ ନେଇଛନ୍ତି ବୋଲି ସ୍ବୀକାର କରିଛି କାନାଡା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ କାନାଡା ଏବେ ସ୍ୱୀକାର କରିଛି ଯେ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀମାନେ ଦେଶରେ ଆଶ୍ରୟ ନେଇଛନ୍ତି। କାନାଡାର ପ୍ରମୁଖ ଗୁଇନ୍ଦା ସଂସ୍ଥା କାନାଡିଆନ ସୁରକ୍ଷା ଗୁଇନ୍ଦା ସେବା (ସିଏସ୍ଆଇଏସ୍) ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିଛି ଯେ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀମାନେ ଭାରତରେ ହିଂସାକୁ ପ୍ରୋତ୍ସାହିତ କରିବା, ପାଣ୍ଠି ସଂଗ୍ରହ କରିବା ଏବଂ ଯୋଜନା କରିବା ପାଇଁ କାନାଡା ମାଟି ବ୍ୟବହାର କରୁଛନ୍ତି। ସିଏସ୍ଆଇଏସ ବୁଧବାର ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି।କାନାଡା ଗୁଇନ୍ଦା ସଂସ୍ଥା ‘ସିଏସ୍ଆଇଏସ୍’ର ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି, ଖାଲିସ୍ତାନ ଉଗ୍ରବାଦୀମାନେ ମୁଖ୍ୟତଃ ଭାରତରେ ହିଂସାକୁ ପ୍ରୋତ୍ସାହିତ କରିବା, ପାଣ୍ଠି ସଂଗ୍ରହ କରିବା କିମ୍ବା ଯୋଜନା କରିବା ପାଇଁ କାନାଡାକୁ ଏକ ଆଧାର ଭାବରେ ବ୍ୟବହାର କରିଆସୁଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀରେ ଯୋଗଦେଲା ଅବସରରେ ବିଶ୍ବର ଶକ୍ତିଶାଳୀ ନେତାଙ୍କୁ ଭେଟିଛନ୍ତି। ତିନି ଦେଶକୁ ଗସ୍ତ ଅବସରରେ ସେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହିତ ୪୦ ମିନିଟ ଧରି କଥାବାର୍ତ୍ତା କରିଥିଲେ। ଏହି କଥାବାର୍ତ୍ତା ପରେ ଭାରତ ଏବଂ କାନାଡା ମଧ୍ୟରେ ଦେଢ଼ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କରେ ଜମାଟ ବାନ୍ଧିଥିବା ବରଫ ତରଳି ଯାଇଥିବା କୁହାଯାଉଛି। ଆଲବର୍ଟା (କାନାଡା)ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ବିଶେଷ ଅତିଥି ଭାବରେ ନିମନ୍ତ୍ରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସର୍ବପ୍ରଥମେ, ଉଭୟ ଦେଶର ରାଜଧାନୀରେ ଯଥାଶୀଘ୍ର ହାଇକମିଶନରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସହମତ ହୋଇଥିଲା। ଏହା ପରେ, ହାଇକମିଶନରେ କୂଟନୀତିଜ୍ଞଙ୍କ ସଂଖ୍ୟା ବୃଦ୍ଧି କରାଯିବ ଏବଂ ସେମାନଙ୍କ ସମ୍ପୃକ୍ତ ହାଇକମିଶନର କାର୍ଯ୍ୟ ସ୍ୱାଭାବିକ କରାଯିବ। ଏହା ସହିତ, ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଅଟକି ରହିଥିବା ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲା। ମୋଦୀ ଏବଂ କାର୍ନିଙ୍କ ମଧ୍ୟରେ ପାରସ୍ପରିକ ସହଯୋଗର ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ନିଙ୍କ ସହ ସାକ୍ଷାତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କାନାଡା ସହିତ ସମ୍ପର୍କ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଏକାଠି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ କାମ କରିବୁ। ଆମେ ମାନବତା ପାଇଁ କାମ କରିବୁ। ଆମେ ଅନେକ କ୍ଷେତ୍ରରେ ଅଗ୍ରଗତି କରିବୁ। କାର୍ନି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ଆମେ ଗର୍ବିତ। ଆମେ ପ୍ରଯୁକ୍ତିବିଦ୍ୟା, ଏଆଇ, ଶକ୍ତି ସୁରକ୍ଷା ଏବଂ ଆତଙ୍କବାଦ ବିରୋଧରେ ସହଯୋଗରେ କାମ କରିବୁ।