
ଆତଙ୍କବାଦକୁ ଦମନ ପାଇଁ ଦେଶଗୁଡିକ କି ପଦକ୍ଷେପ ନେଉଛନ୍ତି ତାହାର ଯାଞ୍ଚକୁ ଆହୁରି ଜୋରଦାର କରାଯିବ : ଏଫ୍ଏଟିଏଫ୍
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ପହଲଗାମ ଆକ୍ରମଣକୁ ନେଇ ବଡ଼ ଟିପ୍ପଣୀ ଦେଇଛି। ଏପ୍ରିଲ ୨୨ରେ ହୋଇଥିବା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଆତଙ୍କବାଦକୁ ଦମନ କରିବା ପାଇଁ ଦେଶଗୁଡିକ କି ପଦକ୍ଷେପ ନେଉଛନ୍ତି ତାହାର ଯାଞ୍ଚକୁ ଆହୁରି ଜୋରଦାର କରାଯିବ ବୋଲି ଏଫ୍ଏଟିଏଫ୍ ଘୋଷଣା କରିଛି। ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ ସମର୍ଥନ ବିନା ପହଲଗାମ ଭଳି ଆକ୍ରମଣ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।ପହଲଗାମ ଆକ୍ରମଣ ପାଇଁ ପାଣ୍ଠି ଯୋଗାଣ ମଧ୍ୟ କରାଯାଇଛି। ଆତଙ୍କବାଦୀ ଲୋକଙ୍କୁ ମାରୁଛନ୍ତି ଏବଂ ଆହତ କରୁଛନ୍ତି। ଏହା ମାଧ୍ୟମରେ ସାରା ବିଶ୍ବରେ ଭୟ ସୃଷ୍ଟି କରୁଛନ୍ତି। ପହଲଗାମ ଏବଂ ଅନ୍ୟ ଆତଙ୍କବାଦୀ ଆକ୍ରମଣ ପାଣ୍ଠି ଯୋଗାଣ ବିନା ହୋଇପାରିବ ନାହିଁ। ଏଭଳି ଆକ୍ରମଣ ବନ୍ଧୁକ ଏବଂ ବାରୁଦରେ ହୁଏ ନାହିଁ। ଏହା ପଛରେ ଆର୍ଥିକ ନେଟୱର୍କ ସାମିଲ ରହିଛି। ଆତଙ୍କବାଦୀଙ୍କ ସହାୟକମାନେ ଏଥିପାଇଁ ପାଣ୍ଠି ଦେଇଛନ୍ତି। ପହଲଗାମ ଆକ୍ରମଣର ୫୫ ଦିନ ପରେ ଏଫଏଟିଏଫ୍ ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଦେଉଛି ଏବଂ ବାହାରୁ ପାଣ୍ଠି ଆଣି ସେହି ଅର୍ଥରେ ଅସ୍ତ୍ରଶସ୍ତ୍ର କିଣି ଆତଙ୍କବାଦୀଙ୍କୁ ଯୋଗାଉ ଥିବା ନେଇ ଭାରତ ଅଭିଯୋଗ କରିବା ସମୟରେ ଏଫଏଟିଏଫ ପକ୍ଷରୁ ବଡ଼ ଟିପ୍ପଣୀ ଦିଆଯାଇଛି।
ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ପୁଣିଥରେ ଏଫଏଟିଏଫର ଧୂସର ତାଲିକାରେ ସାମିଲ କରାଯାଇପାରେ। ପହଲଗାମ ଆକ୍ରମଣରେ ଜଣେ ନେପାଳୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ଏଫଏଟିଏଉପ ଏସିଆ-ପାସିଫିକ୍ ଗ୍ରୁପ୍ (ଏପିଜି) ବୈଠକ ଅଗଷ୍ଟ ୨୫ ତାରିଖରେ ହେବାକୁ ଯାଉଛି। ଏହା ପରେ ଅକ୍ଟୋବର ୨୦ରେ କାର୍ଯ୍ୟ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ପୂର୍ବରୁ ଭାରତ ପାକିସ୍ତାନ ବିରୋଧରେ ଏକ ଡୋଜିଅର୍ ପ୍ରସ୍ତୁତ କରୁଛି। ଏଥିରେ ପାକିସ୍ତାନ କିପରି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି ଏବଂ ମନି ଲଣ୍ଡରିଂ କରି ଏଫଏଟିଏଫ ନିୟମ ଉଲ୍ଲଙ୍ଘନ କରୁଛି ତାହାର ପ୍ରମାଣ ଦିଆଯିବ। ୨୦୧୮ରେ ପାକିସ୍ତାନକୁ ଏଫଏଟିଏଫର ଧୂସର ତାଲିକାରେ ରଖାଯାଇଥିଲା। ଏହା ପରେ ପାକିସ୍ତାନ ମନି ଲଣ୍ଡରିଂ ଏବଂ ଆତଙ୍କବାଦ ପାଣ୍ଠି ଯୋଗାଣ ରୋକିବା ପାଇଁ ଏକ କାର୍ଯ୍ୟ ଯୋଜନା ଦେଇଥିଲା। ୨୦୨୨ ମସିହାରେ ପାକିସ୍ତାନକୁ ଏହି ତାଲିକାରୁ ବାହାର କରି ଦିଆଯାଇଥିଲା। ସୂତ୍ର ଅନୁସାରେ ମନି ଲଣ୍ଡରିଂ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ନିୟମ ପାଳନ ବିଫଳ ହୋଇଥିବା ପାକିସ୍ତାନକୁ ପୁଣିଥରେ ଧୂସର ତାଲିକାରେ ସାମିଲ କରିବା ପାଇଁ ଭାରତ ଦାବି ଉପସ୍ଥାପନ କରିବ।