
ଟେକ୍ନିକାଲ ଏରର ଯୋଗୁ ୨ ଘଣ୍ଟା ଅଚଳ ହୋଇଥିଲା ହ୍ବାଟ୍ସଆପ୍ ସର୍ଭର – ମେଟା କମ୍ପାନୀ
ନୂଆଦିଲ୍ଲୀ: ଗତକାଲି ପ୍ରାୟ ୨ ଘଣ୍ଟା ଧରି ଅଚଳ ହୋଇଯାଇଥିଲା ହ୍ବାଟ୍ସଆପ୍ ସର୍ଭର । ଫଳରେ ଭାରତ ସମେତ ଅନେକ ଦେଶରେ ୟୁଜର୍ସଙ୍କୁ ହ୍ବାଟ୍ସଆପ୍ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ସମୟ ଧରି ସର୍ଭର ଡାଉନ ରହିବା କାରଣରୁ କୋଟି କୋଟି ୟୁଜର୍ସଙ୍କୁ ହ୍ବାଟ୍ସଆପ୍ ବ୍ୟବହାର କରିବାରେ ଅସୁବିଧା ହୋଇଥିଲା। ଏହି ସମୟରେ ୟୁଜରମାନେ କୌଣସି ପ୍ରକାରର ମେସେଜ୍, ଏବଂ ହ୍ବାଟ୍ସଆପ୍ ଅଡିଓ ତଥା ଭିଡିଓ କଲ୍ କରିପାରିନଥିଲେ। ତେବେ ଏହି ଘଟଣାକୁ ନେଇ ଏବେ ଏକ ବିବୃତ୍ତି ସାମ୍ନାକୁ ଆସିଛି।
ବିବୃତ୍ତିରେ କମ୍ପାନିର ମୁଖପାତ୍ର କହିଛନ୍ତି, କମ୍ପାନିର ଏକ ଟେକ୍ନିକାଲ ଏରର ଯୋଗୁ ଏପରି ହୋଇଥିଲା। ଯାହାକୁ ଏବେ ସମାଧାନ କରାଯାଇଛି। ହ୍ବାଟ୍ସଆପ୍ ପ୍ୟାରେଣ୍ଟ କମ୍ପାନି ମେଟା ଏହି ବିଷୟରେ ଅଧିକ ତଥ୍ୟ, ଦେଇନାହିଁ। ତେଣୁ ଅସୁବିଧାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ମଧ୍ୟ ଏଭଳି ସମାନ ଅସୁବିଧା ଦେଖାଦେଇଥିଲା। ଯେଉଁଥିରେ କମ୍ପାନିର ପ୍ରାୟ କୋଟି କୋଟି ୟୁଜର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ କମ୍ପାନି ଏହାକୁ ଡିଏନଏସରେ ଅସୁବିଧା ଥିବା ଦର୍ଶାଇଥିଲା। ଗତକାଲି ହୋଇଥିବା ଅସୁବିଧା ମଧ୍ୟ ସେହିପରି ପ୍ରତୀୟମାନ ହେଉଛି। ତେବେ ଏନେଇ କମ୍ପାନି ତରଫରୁ ଅଧିକ ତଥ୍ୟ ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପ୍ରାୟ ୧୨:୩୦ ରୁ ୨:୩୦ ପର୍ଯ୍ୟନ୍ତ ହ୍ବାଟ୍ସଆପ୍ ଅଚଳ ହୋଇଯାଇଥିଲା। ଏହି ସମୟରେ ୟୁଜର୍ସ ହ୍ବାଟ୍ସଆପ୍ ବ୍ୟବହାର କରିବାରେ ଅସୁବିଧା ହୋଇଥିଲା। ୟୁଜର୍ସ ମେସେଜ୍, ସହ କୌଣସି ପ୍ରକାର ମିଡିଆ ଫାଇଲ ପଠାଇବା ତଥା ରିସିଭ କରିବାରରେ ଅସୁବିଧା ଦେଖାଦେଇଥିଲା। ଏମିତିକି ୟୁଜର୍ସ ହ୍ବାଟ୍ସଆପ୍ କଲ ଏବଂ ଭିଡିଓ କଲ୍ ମଧ୍ୟ କରିପାରିନଥିଲେ।