‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର, ୫୦୦ ମିଲିୟନ ଡଲାର ସମ୍ପତ୍ତି

ନ୍ୟୁୟର୍କ: ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର ପଶୁପାଳନ ବିଭାଗର ବର୍ଷକର ବଜେଟ୍‌ ସହ ସମାନ ସମ୍ପତ୍ତି ରହିଛି ।

୨୦୨୨ ବଜେଟରେ ପଶୁପାଳନ ବିଭାଗକୁ ୪,୨୮୮ କୋଟି ଟଙ୍କା ଦିଆଯାଇଥିବାବେଳେ ଏହି କୁକୁର ପାଖରେ ୫୦୦ ମିଲିୟନ ଡଲାର ଅର୍ଥାତ୍‌ ୪ ହଜାର ୧୩୨ କୋଟି ଟଙ୍କା ରୁ ଅଧିକ ସମ୍ପତ୍ତି ରହିଛି । ‘ଅଲ୍‌ ଏବାଉଟ କ୍ୟାଟ୍‌ସ’ ପକ୍ଷରୁ ଜାରି ‘ଦ ଅଲ୍‌ଟିମେଟ ପେଟ ରିଚ୍‌ ଲିଷ୍ଟ’ ରେ ଏହି ସୂଚନା ଦିଆଯାଇଛି। ଏଥିରେ ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ବିଷୟରେ ସମସ୍ତ ତଥ୍ୟ ରହିଛି।

ରିପୋର୍ଟ ଅନୁଯାୟୀ ‘ଗୁନ୍ଥର-ଭିଆଇ’ର ସମ୍ପତ୍ତିରେ ତାର ଜେଜେ ‘ଗୁନ୍ଥର-ତୃତୀୟ’ ର ଯୋଗଦାନ ରହିଛି। ଏହି କୁକୁର ଜର୍ମାନୀର କାଉଣ୍ଟେସ କାର୍ଲୋଟା ଲିବେନଷ୍ଟେନଙ୍କ ପାଳିତ କୁକୁର ଥିଲା । ସେ ନିଜର ୮୦ ମିଲିୟନ ଡଲାରର ସମ୍ପତ୍ତି ଗୁନ୍ଥର-ତୃତୀୟ ନାମରେ କରିଯାଇଥିଲେ। ଗୁନ୍ଥର କର୍ପୋରେସନ ଏହି ସମ୍ପତ୍ତିକୁ ଭଲ ସ୍ଥାନରେ ନିବେଶ କରିବାରୁ ଏହା ୫୦୦ ମିଲିୟନ ଡଲାରକୁ ବୃଦ୍ଧି ପାଇଥିଲା।

କେବଳ ଏହି କୁକୁର ନୁହେଁ ଅନେକ ପଶୁପକ୍ଷୀଙ୍କ ମାଲିକ ସୋସିଆଲ ମିଡିଆ ମାଧ୍ୟମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି । ନିକଟରେ ଏକ ବିଲେଇ ‘ନାଲା କ୍ୟାଟ୍‌’ ପାଖରେ ୮୨୬ କୋଟି ଟଙ୍କା ( ୧୦୦ ମିଲିୟନ ଡଲାର)ର ସମ୍ପତ୍ତି ରହିଛି। ଏହି ବିଲେଇକୁ ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ୪୦ ଲକ୍ଷ ଲୋକ ଫଲୋ କରୁଛନ୍ତି । ଏହି ବିଲେଇର ମାଲିକ ନାଲା କ୍ୟାଟ୍‌ ନାମରେ ଏକ ପ୍ରିମିୟମ କ୍ୟାଟ୍‌-ଫୁଡ୍‌ କମ୍ପାନୀ ଚଲାଉଛନ୍ତି ।

Related Articles

Back to top button