ହିଜାବ ବିରୋଧ ପ୍ରଦର୍ଶନ ସମର୍ଥନରେ ଫିଫା ବିଶ୍ୱକପରେ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କଲା ଇରାନ ଟିମ୍
ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରୀୟ ଫୁଟବଲ ଟିମ୍ ସୋମବାର ଇଂଲଣ୍ଡ ବିପକ୍ଷରେ ଫିଫା ବିଶ୍ୱ କପରେ ନିଜ ପ୍ରଥମ ଖେଳୁଛି । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଇରାନ ଫୁଟବଲ୍ ଟିମ୍ ନିଜ ଦେଶର ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଥିଲା । ସବୁ ଖେଳାଳି ରାଷ୍ଟ୍ରଗାନ ସମୟରେ ଚୁପ ରହିଥିଲେ । ଇରାନରେ ଜାରି ରହିଥିବା ହିଜାବ ବିରୋଧ ପ୍ରଦର୍ଶନ ସମର୍ଥନରେ ଟିମ ଏହା କରିଥିବା ଜଣାପଡିଛି । କତାରର ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଇରାନର ରାଷ୍ଟ୍ରଗାନ ବାଜିବା ସମୟରେ ୧୧ ଖେଳାଳି ମୌନ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୧୬ରୁ ସାରା ଇରାନରେ ହିଜାବ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ପଛରେ ଇରାନ ଯୁବତୀ ଅମିନୀଙ୍କ ମୃତ୍ୟୁ ସବୁଠୁ ବଡ଼ କାରଣ । ୨୨ ବର୍ଷୀୟା ମହସା ଅମିନୀ ହିଜାବ ନ ପିନ୍ଧିବା ଯୋଗୁଁ ପୋଲିସ ସେପ୍ଟେମ୍ୱର ୧୩ରେ ହେପାଜତକୁ ନେଇଥିଲା। ଅଭିଯୋଗ ଅନୁସାରେ, ସେଠାରେ ପୋଲିସ ତାଙ୍କୁ ମାଡ ମାରିବା ଯୋଗୁଁ ଅମିନୀ କୋମାକୁ ଚାଲି ଯାଇଥିଲେ ଏବଂ ଘଟଣାର ତିନି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
୧୯୭୯ର ଇସଲାମ କ୍ରାନ୍ତି ପରଠୁ ଇରାନରେ ଏହା ଆଜି ଯାଏଁର ଦ୍ୱିତୀୟ ସବୁଠୁ ବଡ଼ ପ୍ରଦର୍ଶନ । ଗତ ଦୁଇ ମାସରୁ ଅଧିକ ସମୟ ଧରି ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିରୋଧ ପ୍ରଦର୍ଶନରେ ଶହ ଶହ ଲୋକଙ୍କ ଜୀବନ ଯାଇଥିବା ଖବର ମଧ୍ୟ ସାମନାକୁ ଆସିଛି ।