ସାତକୋଶିଆରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ
ହରଭଙ୍ଗା: ସାତକୋଶିଆ ଏବଂ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ କୁମ୍ଭୀର ଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ। ଉଭୟପଟୁ ୧୪ଟି ଟିମରେ ୫୬ଜଣ କର୍ମଚାରୀ ସାମିଲ ହୋଇ ମୋବାଇଲ ଆପ, ବାଏନାକୁଲର ସାହାଯ୍ୟରେ ଗଣନା କରିବେ। ମାଛ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିମରେ ଥିବା କର୍ମଚାରୀମାନେ ମହାନଦୀରେ ବୁଲି ବୁଲି ବାଲିରେ ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରୁଛନ୍ତି। ଏହା ସହିତ ବାଲି ଉପରେ କୁମ୍ଭୀରର ପାଦଚିହ୍ନକୁ ମୋବାଇଲ ଆପ ସାହାଯ୍ୟରେ ଚିହ୍ନଟ କରାଯାଉଛି। ମହାନଦୀର ମାରଡାଠାରୁ ଶୀତଳପାଣି, ଶୀତଳପାଣିଠାରୁ ହରଭଙ୍ଗା ଏବଂ ହରଭଙ୍ଗାଠାରୁ ଅଏଡା ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ବୋଲି ସୂଚନା ମିଳିଛି। ଆଜି କୁମ୍ଭୀର ଗଣନା ସମୟରେ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ୩ଟି ଟିମରେ ୦୮ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏସବୁ ଟିମରେ ଆଶହାରଜ୍ ଖାନ୍ ଭଳି ଜଣେ ଘଡିଆଳ କୁମ୍ଭୀର ବିଶେଷଜ୍ଞଙ୍କ ସହିତ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଫରେଷ୍ଟର ବ୍ରଜରାଜ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ଯାନୀ, ବିଷ୍ଣୁପ୍ରିୟା ଦେଇ, ସୁଜ୍ଞାନ ବେହେରା, ଗୋବିନ୍ଦ ମହାକୁଡ, କିଶୋର ମଲ୍ଲିକ, ଅକ୍ଷୟ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି। ଗଣନା କାର୍ଯ୍ୟ ତଦାରଖ ପାଇଁ ନୟାଗଡ଼ ବନ୍ୟପ୍ରାଣୀ ଏସିଏଫ ଶତାଦ୍ଦୀ ମିଶ୍ର, ରେଞ୍ଜ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ପ୍ରତିବର୍ଷ ଜାନୁୟାରୀ ମାସରେ କୁମ୍ଭୀର ଗଣନା କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।