ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ପରେ ୪୪ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ରର ମୋହର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟଗୁଡ଼ିକରେ ବିଚାରପତି ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଛି । କେନ୍ଦ୍ର ସରକାର ବିଚାରପତିମାନଙ୍କ ନାମ ସୁପାରିଶ କରୁନଥିବାରୁ ଏନେଇ ସୁପ୍ରିମକୋର୍ଟ ପ୍ରଚଣ୍ଡ ଅସନ୍ତୋଷ ପ୍ରକାଶ କରିଥିଲେ । ସର୍ବୋଚ୍ଚ ଅଦାଲତଙ୍କ ଅସନ୍ତୋଷ ଓ ତାଗିଦ ପରେ କେନ୍ଦ୍ର ସରକାର ଚେତିବା ସହ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି । ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତି ଦେବା ପାଇଁ ବିଳମ୍ବ କରି ଆସୁଥିଲେ । ଏଥିରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ବିଚାରପତି ନିଯୁକ୍ତି ନେଇ ରହିଥିବା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଏହି କଠୋର ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ତିନି ଦିନ ଭିତରେ ହାଇକୋର୍ଟ ଗୁଡ଼ିକରେ ନିଯୁକ୍ତି ପାଇବାକୁ ଥିବା ୪୪ ଜଣ ବିଚାରପତିଙ୍କ ନାମ ଉପରେ ମୋହର ମରାଯିବ ବୋଲି କହିଛନ୍ତି । କେନ୍ଦ୍ର ସରକାର ବିଚାରପତି ନିଯୁକ୍ତି ନେଇ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ପଡ଼ି ରହିଥିବା ବିଚାରପତିଙ୍କ ଫାଇଲକୁ ଅନୁମୋଦନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ଥିବା ଆଟର୍ଣ୍ଣି ଜେନେରଲେ ଆର୍ ଭେଙ୍କଟରମଣୀ ଅଦାଲତଙ୍କ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସବୁକିଛି ଧାର୍ଯ୍ୟ ସମୟ ଭିତରେ ଶେଷ କରାଯିବ ।

ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ୧୦୪ ବିଚାରପତିଙ୍କ ନାମ ସୁପାରିଶ କରାଯାଇଛି । ସେସବୁ କେନ୍ଦ୍ର ସରକାରଙ୍କ ପାଖରେ ପଡ଼ି ରହିଛି । ତେବେ ୩ ଦିନ ଭିତରେ ୪୪ ବିଚାରପତିଙ୍କ ଫାଇଲକୁ ମଞ୍ଜୁରୀ ଦିଆଯିବ ବୋଲି ଆଟର୍ଣ୍ଣି ଜେନେରାଲ କହିଥିଲେ । ଅନ୍ୟପକ୍ଷରେ କଲେଜିୟମ ପକ୍ଷରୁ ସୁପ୍ରିମକୋର୍ଟକୁ ପ୍ରମୋସନ ପାଇଁ ସୁପାରିଶ କରାଯାଇଥିବା ୫ ଜଣଙ୍କ ସମ୍ପର୍କରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି ସେ ନେଇ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଏହି ପ୍ରସଙ୍ଗରେ ଭିନ୍ନ ମତ ରହିଛି । ତେବେ ଏହି ପ୍ରସଙ୍ଗର ଶୁଣାଣି ଆସନ୍ତା ଫେବୃଆରୀ ୩ରେ କରାଯିବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।

Related Articles

Back to top button