ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ଶ୍ରୀୟା ମିଶ୍ର
କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ କଟକ ଡିସିପି ପିନାକ ମିଶ୍ରଙ୍କୁ ଭେଟି ଶ୍ରୀୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ମିଳିଛି।
ଶ୍ରେୟା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ଗତ କିଛି ମାସ ହେବ ହ୍ୟୁମାନ ତାଙ୍କୁ ଅବହେଳା କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ମଦ ପିଇ ପିଟାମରା ବି କରୁଥିବା ଶ୍ରୀୟା ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ମାମଲାରେ ତଦନ୍ତ କରିବାକୁ ଡିସିପି ମହିଳାଙ୍କୁ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା ସହ ଦମ୍ପତିଙ୍କୁ ମହିଳା ପୁଲିସ ଷ୍ଟେସନକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିବାକୁ ଡିସିପି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ହ୍ୟୁମାନ ସାଗରଙ୍କ ଠାରୁ ନିର୍ଯାତନାର ଶିକାର ହେବା ପରେ ଶ୍ରୀୟା ତାଙ୍କ ଶ୍ୱଶୁର ଘର ସିଡିଓ ସେକ୍ଟର-୬କୁ ଛାଡ଼ି ଏବେ ବାଲେଶ୍ୱରରେ ବାପଘରେ ରହୁଛନ୍ତି।
ସୂଚନା ଥାଉକି, ୨୦୧୭ରେ ରିୟଲିଟି ମ୍ୟୁଜିକାଲ ଶୋ ‘ଭିଏସ୍ ଅଫ୍ ଓଡ଼ିଶା ସିଜ-୨’ରେ ଉଭୟ ଶ୍ରେୟା ଓ ହ୍ୟୁମାନ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ସେଠାରେ ଉଭୟ ମଧ୍ୟରେ ଭଲପାଇବା ସୃଷ୍ଟି ହୋଇଥିଲା। ଦୁହେଁ ବିବାହ ମଧ୍ୟ କରିଥିଲେ। ଏହି ଦମ୍ପତିଙ୍କର ଏକ ଛୋଟ ଝିଅ ବି ରହିଛି।
ଗତବର୍ଷ ମଧ୍ୟ ଜଗନ୍ନାଥଙ୍କ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଧର୍ମ ଆଳ ଦେଖାଇ ହ୍ୟୁମାନ ଜଗନ୍ନାଥ ଭଜନ ଗାଉ ନାହାନ୍ତି ବୋଲି ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲିକ ଓରଫ ଜାପାନୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଥାନାରେ ମାମଲା ବି ହୋଇଥିଲା।